Pay on: 8763232327@ybl

After payment fill the form
https://forms.gle/a89NGkTPPppVEXJSA
ଆପଣ ପଇସା ପଠେଇଥିବା ଫୋନ ନମ୍ବର ସହ Email ID କୁ ମାତୃଏକାଡେମୀ ର WhatsApp ନମ୍ବର 8763232327କୁ ପଠାଇ ଦିଅନ୍ତୁ| 24 ଘଣ୍ଟା ଭିତରେ ଆପଣ ପାଠ୍ୟକ୍ରମର ଲାଭ ନେଇପାରିବେ
କବି ପରିଚୟ :-
ସାରଳା ଦାସଙ୍କ ଜନ୍ମସ୍ଥାନ ସମ୍ପର୍କରେ ବିଭିନ୍ନ ଆଲୋଚକ ଭିନ୍ନ ଭିନ୍ନ ମତ ବ୍ୟକ୍ତ କରନ୍ତି। ଖ୍ରୀ ରେ ରୟାଲ ଏସିଆଟିକ୍ ସୋସାଇଟି ଓଫ୍ ବେଙ୍ଗଲ ପତ୍ରିକାରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରବନ୍ଧରେ ମନମୋହନ ଚକ୍ରବର୍ତ୍ତୀ ସାରଳା ଦାସଙ୍କ ସମ୍ବନ୍ଧରେ ଅନୁସନ୍ଧାନ କରି ଲେଖିଅଛନ୍ତି ଯେ ସାରଳା ଦାସ ଝଙ୍କଡ଼ ପ୍ରଗଣା ଅନ୍ତର୍ଗତ କାଳିନାଗ ଗ୍ରାମର ଅଧିବାସୀ ଥିଲେ। ପୁନଶ୍ଚ ସେ ଲେଖିଛନ୍ତି ଯେ ପୁରୀ ରାଜା ସାରଳା ଦାସଙ୍କ କବିତ୍ୱରେ ମୁଗ୍ଧ ହୋଇ ତାଙ୍କୁ ଝଙ୍କଡ଼ ଓ ତିନିଗୋଟି ପ୍ରଗଣା ଦେଇଥିଲେ। ସାରଳା ଦାସଙ୍କ ବଂଶଧରଗଣ କାଳିନାଗ, ତେନ୍ତୁଳିପଦା ଓ ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମମାନଙ୍କରେ ଏବେ ମଧ୍ୟ ବିକ୍ଷିପ୍ତ ଭାବରେ ବାସ କରୁଅଛନ୍ତି। ସାରଳା ମହାଭାରତଠାରୁ କାଳିନାଗଠାରେ କବିଙ୍କ ଘର ଥିବା ଜଣାଯାଏ ନାହିଁ, କିନ୍ତୁ ଏ କାଳିନାଗ ଗ୍ରାମ ଅତ୍ୟନ୍ତ କ୍ଷୁଦ୍ର ଏବଂ ଅଦ୍ୟାପି ବଡ଼ ସାରୋଳ ଗ୍ରାମର ଅନ୍ତର୍ଭୁକ୍ତ ହୋଇ ରହିଅଛି।
ଓଡ଼ିଆ ଜାତିର ଧର୍ମ, ଇତିହାସ ତଥା ଭାଷା ବିଷୟକ ବହୁ ଆଲେଚନାରେ ମାଦଳାପାଞ୍ଜି ବିଶେଷତଃ ଓଡ଼ିଶାର ବହୁକାଳ ଧରି ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଅଧିକାର କରି ଆସିଅଛି । ଇତିହାସ ସଂକଳନରେ ମାଦଳାପାଞ୍ଜି ର ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ ଏ କଥାକୁ କେବେହେଲେ ଅସ୍ବୀକାର କରିଯାଇ ପାରିବ ନାହିଁ । ବହୁ ଓଡ଼ିଆ ତଥା ଅଣଓଡ଼ିଆ ଗବେଷକ ଓ ଅଲୋଚକ ମାଦଳାପାଞ୍ଜି ବିଷୟରେ ବହୁ ଦିଗରୁ ଆଲୋଚନା କରିଛନ୍ତି ।
୧୮୮୮ ମସିହା, ଡିସେମ୍ବର ୯ ତାରିଖ । ଓଡ଼ିଆ ସାହିତ୍ୟ-ବୀଣାକୁ ଏଇ ଦିନଟି ଆଣିଦେଲା ବିଚିତ୍ର ସୁରର ନୂତନ ସମ୍ଭାବନା । ଏଇ ମହନୀୟ ଦିନରେ କଟକ ସହରର ଧୂଆଁ ପତ୍ରିଆ ଗଳିରେ ଜନ୍ମଗ୍ରହଣ କଲେ ଲକ୍ଷ୍ମୀକାନ୍ତ । ମାର୍ଗଶୀର ମାସରେ ଜନ୍ମଗ୍ରହଣ କରିଥିଲେ ବୋଲି ତାଙ୍କର ଏଇ ନାମ ରଖାଯାଇଥିଲା କି ? ମାର୍ଗଶୀର ଯେ ଲକ୍ଷ୍ମୀଙ୍କର ମାସ । ଲକ୍ଷ୍ମୀ ସୌନ୍ଦର୍ଯ୍ୟର ଦେବୀ । ଲକ୍ଷ୍ମୀକାନ୍ତଙ୍କ ଅଙ୍ଗରେ ବି ସୌନ୍ଦର୍ଯ୍ୟର ଓ କ୍ଲାନ୍ତିର ପ୍ଲାବନ ଖେଳୁଥିଲା । ବାଲେଶ୍ଵରରେ ଲକ୍ଷ୍ମୀକାନ୍ତଙ୍କର ବିଦ୍ୟାଭ୍ୟାସ ଠିକ ହୋଇପାରିଲା ନାହିଁ, ତେଣୁ ତାଙ୍କୁ ଭଦ୍ରକକୁ ଅଣାଗଲା । ଏଠାରେ ସଙ୍ଗୀତ ପ୍ରତି ଆକର୍ଷଣ ଆହୁରି ପ୍ରବଳ ହେଲା । ନୃତ୍ୟର ଗତି କେତେବେଳେ କେତେବେଳେ ଉଦ୍ଦାମ ହୋଇ ଉଠିଲା । ଅଭିନୟ କରିବା ଲାଗି ତାଙ୍କ ମନରେ ଜାଗିଲା ଅତ୍ୟନ୍ତ ଆଗ୍ରହ । ଜଗନ୍ନାଥପୁରରେ ଅଭିନୟ ହେବ । ଇନ୍ଦ୍ରଙ୍କ ଭୂମିକା ଗ୍ରହଣ କଲେ ସ୍ଵୟଂ ଲକ୍ଷ୍ମୀକାନ୍ତ । ଅଭିନୟ ହେଲା । ଲକ୍ଷ୍ମୀକାନ୍ତଙ୍କର ଅଭିନୟ ଉଚ୍ଚ ପ୍ରଶଂସା ଲାଭକଲା । ଏପରିକି ତାଙ୍କର ଶିକ୍ଷକମାନେ ମଧ୍ୟ ମୁକ୍ତ କଣ୍ଠରେ ଏହାର ତାରିଫ କଲେ । ତାଙ୍କ ପ୍ରଧାନ ଶିକ୍ଷକ ଥିଲେ କଠୋର ପ୍ରକୃତିର ଲୋକ । ସେ ବି ତାରିଫ ନକରି ରହିପାରିଲେ ନାହିଁ । ବାପା ତାଙ୍କର ଏକଥା ଶୁଣି କ୍ରୋଧରେ ଅଧୀର ହୋଇ ଉଠିଲେ । ସେ ଭାବିଲେ ପୁଅ ବିଦ୍ୟାଭ୍ୟାସ ପ୍ରତି ଅନୁରୋକ୍ତ ନ ହୋଇ ଯାତ୍ରା ଅଭିନୟ ଇତ୍ୟାଦିଗ୍ରହ ଅନୁରୋକ୍ତ ହେବାଦ୍ୱାରା ଅବାଧ୍ୟ ଓ ଉଚ୍ଛୃଙ୍ଖଳ ହୋଇ ଉଠୁଛି । କଠୋର ଶାସନ କରିବା ସକାଶେ ଲକ୍ଷ୍ମୀକାନ୍ତଙ୍କୁ ପ୍ରଚଣ୍ଡ ପ୍ରହାର କଲେ ସେ । ସେ ବା କେମିତି ଜାଣନ୍ତେ ଯେ ଭଗବାନ ଏଇ ବାଳକଟିକୁ ପଠାଇଛନ୍ତି ନୃତ୍ୟ ଓ ସଙ୍ଗୀତ ଦ୍ଵାରା ତାଙ୍କର ଲୀଳା ପ୍ରଚାର କରିବାକୁ - ଅଭିନୟର ଚିତ୍ରପଟରେ ତାଙ୍କର ସୃଷ୍ଟି - ବୈଚିତ୍ର୍ୟର ଅପରୂପ ମଦିରତା ଫୁଟାଇ ତୋଳିବାକୁ ।
ଅଭିନୟ ତ ସରିଯାଇଥିଲା । କଠୋର ଶାସନର ଯନ୍ତ୍ରଣା ବି ବହୁ ପରିମାଣରେ ବିସ୍ତୃତ ହୋଇ ଯାଇଥିଲା । ଭଉଣୀ ଜାହ୍ନବୀ ପଚାରିଲେ, “ଭାଇ ତୁ ତ ପିଲାଟିଏ , ପୁଣି ଏଡିକି ଧଡିଆ ହେଇଛୁ । ଇନ୍ଦ୍ର ଅଭିନୟ ତୁ କଲୁ କିପରି ?” ଲକ୍ଷ୍ମୀକାନ୍ତ ଉତ୍ତର ଦେଲେ - “ମାନେ ମାନେ ମୁଁ ନିଜକୁ ଜଣେ ଦେବତା ବୋଲି ଭାବିନେଲି । ଭାବିନେଲି ଯେ ମୋ ଭିତରେ ଦେବତାଙ୍କ ଗୁଣ ସବୁ ରହିଛି । ଉତ୍କୃଷ୍ଟ ଅଭିନୟର ଏହାହିଁ ଗୋପନୀୟ ରହସ୍ୟ । ନିଜର ସ୍ବରୂପ ଭୁଲିଯାଇ ଅଭିନୀତ ଚରିତ୍ରର ସ୍ଵରୂପକୁ ନିଜର ସ୍ବରୂପ ବୋଲି କଳ୍ପନା କରିନେବାହିଁ ସଫଳ ଅଭିନୟର ଗୋପନୀୟ ମନ୍ତ୍ର । ଧନୀ ଯୁବକ ଦରିଦ୍ର କରୁଷକର ଅଭିନୟ କଲାବେଳେ ସମ୍ପୂର୍ଣ୍ଣ ରୂପେ ଭୁଲିଯିବ ଯେ ସେ ଧନୀ ! ତାକୁ ପୂର୍ଣ୍ଣ ମାତ୍ରାରେ ହିଁ ଅନିଭାବ କରିବାକୁ ପଡିବ ଯେ ସେ ପ୍ରକୃତରେ ଜଣେ ଦରିଦ୍ର କୃଷକ; ଏବଂ ସେଇ ଅନୁଭବକୁ ସ୍ଵାଭାବିକ କରି ତୋଳିବାକୁ ପଡିବ । ସଙ୍ଗୀତସମ୍ଭାର ସୃଜିତ ହେଉ ହେଉ ସେଇସବୁ ସଙ୍ଗୀତ ପ୍ରଚାର ଲାଗି ଲକ୍ଷ୍ମୀକାନ୍ତଙ୍କ ଅନ୍ତରରେ ଜାଗିଲା ସଙ୍ଗୀତ ସମାଜ ପ୍ରତିଷ୍ଠାର କଳ୍ପନା । ପରିଣତି ସ୍ଵରୂପ ୧୯୨୧ରେ କୂଳଦେବତା ଗୋପୀନାଥଙ୍କ ନାମାନୁଯାୟୀ ସୃଜିତ ହେଲା “ଗୋପୀନାଥ ସଙ୍ଗୀତ ସମାଜ”, ଏବଂ ଏଇ ସମାଜ ପ୍ରଥମେ ଅପେରା ଓ ପରେ ଥିଏଟରରେ ପରିଣତ ହେଲା ।
ଲକ୍ଷ୍ମୀକାନ୍ତ ପ୍ରଥମେ ରଚନା କଲେ ‘ଶରଦାସ’ । କ୍ରମେ କ୍ରମେ ରଚିତ ହେଲା ‘ବସନ୍ତ ବିଳାସ’, ‘ବରୁଣବିଜୟ’, ‘କାଳୀୟ ଦଳନ’, ‘ବ୍ରଜ ବର୍ଜନ’, ‘ବେଶବଦଳା’, ‘ବଂଶୀ ଶିକ୍ଷା’ ଇତ୍ୟାଦି ନାଟକ ଓ ନାଟିକା । ଏହାପରେ ରଚିତ ହେଲା ‘ଗୌର ସନ୍ନ୍ୟାସ’ ନାଟକ । ସବୁଥିରେ ସଙ୍ଗୀତର ପ୍ରାଧାନ୍ୟ, ସବୁଥିରେ ଭକ୍ତିବାଦର ଉଚ୍ଛଳ ତରଙ୍ଗ । କବି ଲକ୍ଷ୍ମୀକାନ୍ତ ଥିଲେ ପରମ ବୈଷ୍ଣବ । ତେଣୁ ପ୍ରତ୍ୟେକଟି ନାଟକ କିମ୍ବା ନାଟିକାରେ ଭକ୍ତିବାଦର ଅପରୂପ ମହିମା ଓ ଲାବଣ୍ୟଲଳିତ ମାଧୁରୀ ପ୍ରକଟିତ ହୋଇଛି । ଲକ୍ଷ୍ମୀକାନ୍ତଙ୍କ ଲେଖନୀ କ୍ରମେ କ୍ରମେ କୃଷ୍ଣଲୀଳା ବିଷୟକ ଓ ଭକ୍ତିଭାବପୂର୍ଣ୍ଣ ନାଟକ ରଚନାରୁ ଐତିହାସିକ ଓ ପୌରାଣିକ ନାଟକ ରଚନା ଆଡକୁ ଗତିକଲା । ତେଣୁ ସଜିତ ହେଲା ‘କର୍ଣ୍ଣ’, ‘କଳାପାହାଡ’, ‘ଲକ୍ଷ୍ମୀଚାଣ୍ଡାଳୁଣୀ’, ଓ ‘ଚନ୍ଦ୍ରହାସ’ । ଥରେ ଲକ୍ଷ୍ମୀକାନ୍ତ ଓ ତାଙ୍କ ସହଧର୍ମୀଣୀ ଲବଙ୍ଗଲତାଙ୍କ ମଧ୍ୟରେ କୌଣସି କାରଣରୁ କଳହ ହେଲା ଏବଂ ଏଇ ଦାମ୍ପତ୍ୟ କଳହର ଶରବ୍ୟ ରୂପେ କଳାପାହାଡ ନାଟକ ବିସ୍ତୃତି ଗର୍ଭରେ ଲୀନ ହୋଇଗଲା । ତାଙ୍କ ଜାତୀୟ ସଙ୍ଗୀତ ରଚନାର ଏକ ମହନୀୟ ଇତିହାସ ରହିଛି । ଉତ୍କଳ ସମ୍ମିଳନୀର ସଭା ହେଉଥାଏ । ପ୍ରାରମ୍ଭିକ ସଙ୍ଗୀତ ସ୍ଵରୂପ ତାଙ୍କ ରଚିତ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ’ ବୋଲାଗଲା । ସେଇ ମହାନ ସଙ୍ଗୀତର ଅପୂର୍ବ ଛନ୍ଦ, ଗମ୍ଭୀର ଭାବ, ଓଜସ୍ୱିନୀ ମେଦୁରତା ଓ ସ୍ପନ୍ଦନପୂର୍ଣ୍ଣ ସ୍ଵର ମଧୁବାବୁଙ୍କୁ ଆଲିଙ୍ଗନ କଲେ । ତାପରେ ଚାଲିଲା ଲକ୍ଷ୍ମୀକାନ୍ତଙ୍କର ଗୋଟିକ ପରେ ଗୋଟିଏ ଜାତୀୟ ସଙ୍ଗୀତ ରଚନା ।
ବ୍ରିଟିଶ ସରକାରଙ୍କଠାରୁ ପ୍ରଶୟ ଓ ପ୍ରେରଣାପାଇ କେତେକ ଜମିଦାର ଦଳବଦ୍ଧ ହୋଇ ଯେତେବେଳେ ଦେଶଦ୍ରୋହୀ ଭୂମିକା ଗ୍ରହଣ କଲେ ଏବଂ ସ୍ଵାଧୀନତା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ନାନା ହୀନ ଷଡଯନ୍ତ୍ରରେ ଲିପ୍ତହେଲେ ସେତେବେଳେ ଲକ୍ଷ୍ମୀକାନ୍ତ ଛଦ୍ମ ନାମରେ “ପଞ୍ଚାମୃତ” ନାଟିକା ରଚନା କରି ବ୍ୟଙ୍ଗ ଓ ବିଦ୍ରୂପର କଷାଘାତରେ ସେଇ ଦେଶଦ୍ରୋହୀମାନଙ୍କୁ ଜର୍ଜରିତ କରିବାକୁ ଲାଗିଲେ । ଏଇ “ପଞ୍ଚାମୃତ” ପ୍ରଜାତନ୍ତ୍ରରେ ଧାରାବାହିକ ଭାବରେ ପ୍ରକାଶିତ ହୋଇ ହାସ୍ୟରସର ଚହଳ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଦେଶାତ୍ମବୋଧ ଜାଗ୍ରତ କରୁଥାଏ । ଆଶ୍ଚର୍ଯ୍ୟର କଥା ଯେ ଏଇ “ପଞ୍ଚାମୃତ”ରେ ଲକ୍ଷ୍ମୀକାନ୍ତ ଯେଉଁମାନଙ୍କୁ ବିଦ୍ରୂପ ଓ ଭର୍ସ୍ଚନା କରୁଥିଲେ, ସେମାନଙ୍କ ମଧ୍ୟରୁ କେତେକ ଥିଲେ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଓ ଆତ୍ମୀୟ । ସେମାନଙ୍କ ଆଦର୍ଶଭ୍ରଷ୍ଟ, ଗର୍ହିତ ଆଚରଣକୁ ଶାସନ କରିବାଲାଗି କବି କଟୁସମାଲୋଚନାର ଆୟୁଧ ଧାରଣା କରିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ଲକ୍ଷ୍ମୀକାନ୍ତ ସଂକୀର୍ଣ୍ଣମନା ବା ଏକ ଦେଶଦର୍ଶୀ ନଥିଲେ । ସେ ଥିଲେ ଅତ୍ୟନ୍ତ ନ୍ୟାୟପରାୟଣ । ସେ ଯେ କେବଳ ଦେଶଦ୍ରୋହୀମାନଙ୍କ ସମ୍ବନ୍ଧରେ କଟୁ ମନ୍ତବ୍ୟ ପ୍ରୟୋଗ କରୁଥିଲେ ତା ନୁହେଁ । ଦେଶର ସ୍ଵାଧୀନତା ପାଇଁ ଯେଉଁମାନେ ଆନ୍ଦୋଳନ ଚଳାଇଥିଲେ ସେମାନଙ୍କ ମଧ୍ୟରୁ କାହାରି କାହାରି ଦୋଷତ୍ରୁଟି ଦେଖିଲାକ୍ଷଣି ସେ ତୀକ୍ଷଣ ହାସ୍ୟରସର ଶାଣିତ ଠାଣିରେ ସେମାନଙ୍କୁ ଭର୍ସ୍ଚନା କରିବାକୁ କୁଣ୍ଠିତ ହେଉନଥିଲେ, ଏବଂ ଏଇ ଉଦ୍ଧେଶ୍ୟରେ ରଚିତ ହୋଇଥିଲା “ଅସହଯୋଗୀର ଆତ୍ମକଥା” । ଇତିମଧ୍ୟରେ ଲକ୍ଷ୍ମୀକାନ୍ତଙ୍କ ସାରସ୍ଵତ ଅବଦାନ ସମଗ୍ର ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ମଧ୍ୟ ଗଭୀର ପ୍ରଭାବ ସୃଷ୍ଟି କରିଥାଏ । ଏଇ ଶ୍ରଦ୍ଧା ଓ ପ୍ରୀତି ଏକ ବାସ୍ତବ ରୂପ ଲାଭକଲା ଯେତେବେଳେ ୧୯୩୩ରେ ଭଦ୍ରକ ହାଇସ୍କୁଲ ପ୍ରାଙ୍ଗଣରେ ଦିଆଗଲା ପ୍ରଗାଢ ଶ୍ରଦ୍ଧାପୂର୍ଣ୍ଣ ବିପୁଳ ସମ୍ବର୍ଦ୍ଧନା । କବିବର ଚିନ୍ତାମଣି ଏଇ ସଭାରେ ସଭାପତିତ୍ଵ କରିଥିଲେ ଏବଂ ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ ଓ ଜାତୀୟକବି ବାଞ୍ଛାନିଧି ପାଠ କରିଥିଲେ ଅଭିନନ୍ଦନ ପତ୍ର । ଏଇ ସମ୍ବର୍ଦ୍ଧନା ସଭାରେ ହିଁ ଲକ୍ଷ୍ମୀକାନ୍ତ କାନ୍ତକବି ନାମରେ ସର୍ବସାଧାରଣଙ୍କଠାରେ ପରିଚିତ ହେଲେ । ସମ୍ବର୍ଦ୍ଧନା ସଭାଟି ପ୍ରଧାନତଃ ଲକ୍ଷ୍ମୀନାରାୟଣ ସାହୁଙ୍କ ଆଗ୍ରହ ଓ ଉଦ୍ୟମରେ ଆୟୋଜିତ ହୋଇଥିଲା । ଗ୍ରନ୍ଥାବସ୍ଥାରେହିଁ ବନ୍ଧୁମାନେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ନାମରେ ଅଭିହିତ କରୁଥିଲେ । ନିଜେ ଲକ୍ଷ୍ମୀକାନ୍ତ ମଧ୍ୟ ସ୍ଵରଚିତ କୌଣସି କୌଣସି କବିତା ବା ସଙ୍ଗୀତରେ ନିଜକୁ ଲକ୍ଷ୍ମୀକାନ୍ତ ପରିବର୍ତ୍ତେ କେବଳ “କାନ୍ତ” ବୋଲି ପରିଚିତ କରାଇ ଥିଲେ । କିନ୍ତୁ ସେଇ ସଂକ୍ଷିପ୍ତ ଅଥଚ ସାର୍ଥକ ନାମଟି ମୁଷ୍ଟିମେୟଙ୍କ ଦ୍ଵାରା କେତେବେଳେ କେମିତି ଉଲ୍ଲିଖିତ ହେଉଥିଲା । ସମ୍ବର୍ଦ୍ଧନା ସଭାରେ ହିଁ ଜନସେବକ ଆର୍ତ୍ତବନ୍ଧୁ ଓ ଉଦାରତା ଲକ୍ଷ୍ମୀନାରାୟଣ ସେଇ ସାର୍ଥକ ଅଥଚ ଅଳ୍ପଜ୍ଞାନ ନାମଟିକୁ ସମସ୍ତଙ୍କ ଆଗରେ ଆଦର, ଶ୍ରଦ୍ଧା ଓ ସମ୍ମାନ ସହକାରେ ଘୋଷଣାକଲେ, ଏବଂ ସାହିତ୍ୟର ଇତିହାସରେ ମଧ୍ୟ ଲକ୍ଷ୍ମୀକାନ୍ତ “କାନ୍ତକବି” ନାମରେ ସେଇଦିନୁ ପ୍ରିୟ, ପ୍ରସିଦ୍ଧ ଓ ପ୍ରତିଷ୍ଠିତ ହୋଇଗଲେ ।
କାନ୍ତକବିଙ୍କ କନିଷ୍ଠା ଭଗିନୀ କୋକିଳା ଥିଲେ ଜଣେ ସାହିତ୍ୟିକା । ପ୍ରତିଭାର ଦରଫୁଟା ଫୁଲ ଏବଂ ଦେଶବାସ୍ଚଲ୍ୟର ଦୀପ୍ତିଶିକ୍ଷା କୋକିଳାଙ୍କର ମୃତ୍ୟୁ ହେଲା । କୋକିଳାଙ୍କ ମହାପ୍ରୟାଣ ପୂର୍ବରୁ କାନ୍ତକବିଙ୍କ ସାନଭାଇ କମଳାକାନ୍ତ ମାତ୍ର ୨୪ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ । ବିଚ୍ଛେଦ ଓ ବିରହର ଏଇ ଘନଘୋର ଅନ୍ଧକାର ଭିତରେ “ଡଗର” ପତ୍ରିକା ଜନ୍ମଗ୍ରହଣ କଲା ଏବଂ ତାର ଅବ୍ୟବହିତ ପରେ ସୀତାକାନ୍ତ ଇହାଧ୍ୟାମ ତ୍ୟାଗ କଲେ । ସେ ଥିଲେ କାନ୍ତକବିଙ୍କ ଅନ୍ୟତମ କନିଷ୍ଠ ଭ୍ରାତା ଏବଂ ଡଗର ପ୍ରକାଶନ ଲାଗି ତାଙ୍କର ଉସ୍ଚାହ ଓ ସହଯୋଗ ଥିଲା ସମସ୍ତଙ୍କଠାରୁ ଅଧିକ । ଏତିକିରେ ମୃତ୍ୟୁର ସନ୍ତୋଷ ହେଲା ନାହିଁ । ବିଚ୍ଛେଦର କରାଳ ଛବି ଏତିକିରେ ପୂର୍ଣ୍ଣ ହେଲାନାହିଁ । ସେଥିପାଇଁ ହୁଏତ କାନ୍ତକବିଙ୍କ ଜନନୀ ରାଧାମଣି ଦେବୀ ସଂସାର ଛାଡି ଛାଲିଗଲେ । ସ୍ଵାମୀ - ସନ୍ତାନ - ବିଚ୍ଛେଦ - କାତର ଏଇ ପୁଣ୍ୟଶୀଳା ରମଣୀ ଜୀବନ ପ୍ରତି ଏକାବେଳକେ ବିତୃଷ୍ଣ ହୋଇ ଉଠିଥିଲେ । ମୃତ୍ୟୁହିଁ ତାଙ୍କ ପାଇଁ ଯେପରିକି ପରମ ଶାନ୍ତିର ଆକର ହୋଇ ଉଠିଥିଲା ।
ଦୁର୍ଦ୍ଧିନର ଘନଘଟା ଭିତରେ। ବିଚ୍ଛେଦର କରାଳ ତମିସ୍ରା ଭିତରେ “ଡଗର” ର ଆବିର୍ଭାବ । ଷାଠିଏ ଟଙ୍କାରୁ ସମ୍ବଳ କରି କାନ୍ତକବି ଅଣ୍ଟା ଭିଡ଼ି ବାହାରିଥିଲେ “ଡଗର” ପ୍ରକାଶ କରିବାକୁ । “ଡଗର”କୁ କେନ୍ଦ୍ରକରି କାନ୍ତକବି ଓ ତାଙ୍କ ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦଙ୍କର ନିର୍ଲୋଭତା ବିଷୟରେ ସ୍ଵର୍ଗୀୟା ସରଳାଦେବୀ ତାଙ୍କ ଅନବଦ୍ୟ ଠାଣିରେ ଏକ ଅବିସ୍ମରଣୀୟ ଘଟନା ବର୍ଣ୍ଣନା କରି ଯାଇଛନ୍ତି । “ଡଗର” ଥିଲା ଅତ୍ୟନ୍ତ ସ୍ପଷ୍ଟବାଦୀ ଓ ନିର୍ଭୀକ । ଅର୍ଥଗୃଧ୍ନୁ ଜମିଦାର ଓ ମହାଜନ ଏବଂ ଅତ୍ୟାଚାରୀ ରାଜାରାଜୁଡା “ଡଗର”ର ସତ୍ୟନିଷ୍ଠ କଟୁ ମନ୍ତବ୍ୟକୁ ଭୟ କରୁଥିଲେ । ଏଇପରି କଟୁ ସମାଲୋଚନାର କବଳରୁ ରକ୍ଷା ପାଇବାଲାଗି ଠାରେ ଜଣେ ରାଜା ଏକକାଳୀନ ଛଅହଜାର ତାଙ୍କ ଦେବାର ପ୍ରସ୍ତାବ ଦେଇଥିଲେ ନିତ୍ୟାନନ୍ଦଙ୍କୁ, କିନ୍ତୁ ପିତା ଓ ପୁତ୍ର ଉଭୟେ ଏଇ ପ୍ରସ୍ତାବକୁ ବିନା ଦ୍ଵିଧା ଓ ବିନା କୁଣ୍ଠାରେ ପ୍ରତ୍ୟାଖ୍ୟାନ କରିଥିଲେ । ଅଥଚ ଏଇ ଛଅହଜାର ଟଙ୍କା ହୋଇଥିଲେ “ଡଗର”ର ଅବସ୍ଥା ତ ସ୍ଵଚ୍ଛଳ ହୁଅନ୍ତା, ଗୋପୀନାଥ ପ୍ରେସର ଆର୍ଥିକ ଦୂର୍ଗତ ମଧ୍ୟ କିଛି ପରିମାଣରେ ଦୂରୀଭୂତ ହୋଇଥାନ୍ତା । ସରଳାଦେବୀ ଲେଖିଛନ୍ତି “ ‘ଡଗର’ ର ଅଭାବ ଥାଇ ମଧ୍ୟ କାନ୍ତକବି ଲୋଭ ଓ ଅନ୍ୟାୟ କିମ୍ବା ଦୂର୍ବଳତା ନିକଟରେ ମୁଣ୍ଡ ନଇଁ ନଥିଲେ । ଅଳ୍ପ କ୍ଷୁଦ୍ର କଥାକୁ ସେ ଘୃଣା କରୁଥିଲେ । ଅମୀରଭଳି ତାଙ୍କ ପ୍ରକୃତିର ଗଠନ ଥିଲା। ”
ଆର୍ଥିକଦୃଷ୍ଟିରୁ ଦରିଦ୍ର ହେଲେ ମଧ୍ୟ “ଡଗର”ର ପ୍ରାଣ-ପ୍ରାଚୁର୍ଯ୍ୟ ଥିଲା । ଚିନ୍ତା ଓ ଚେତନାଗତ ନିର୍ଭୀକତାରେ, ଏହା ଥିଲା ଧନାତ୍ୟ। ଏହାର “ବିଲୁଆ ବିଚାର” ସୃଷ୍ଟି କରିଥିଲା ସମାଲୋଚନାର ସୁସ୍ଥ, ନିର୍ଭୀକ ଓ ନ୍ୟାୟନିଷ୍ଠ ପରମ୍ପରା। ପାଠକ ମାନଙ୍କୁ ଏହି ପତ୍ରିକା ଦେଉଥିଲା ହାସ୍ୟରସର ପ୍ରଚୁର ଉପାଦାନ। ପ୍ରଥମରୁହିଁ ନିତ୍ୟାନନ୍ଦ ଏହାର ସମ୍ପାଦକ ଥିଲେ ମଧ୍ୟ କାନ୍ତକବିଙ୍କୁ ସମ୍ପାଦନାର ଦାୟିତ୍ବ ବହୁ ପରିମାଣରେ ବହନ କରିବାକୁ ପଡୁଥିଲା। ଶିଶୁସାହିତ୍ୟର ଏକ ନୂଆଅଧ୍ୟାୟ ରଚନାକଲା ଏହି ପତ୍ରିକା । “ନାଗବଚା ଦଳ” ଗଠନ କରି ଏଇ ପତ୍ରିକା ସରଳ ସାହିତ୍ୟ ଜରିଆରେ ଶିଶୁମହଲରେ ବିପୁଳ ଆନନ୍ଦ ବିତରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ମନକୁ ସାହିତ୍ୟ-ସଚେତନ ଓ ସଂସ୍କୃତି-ସଚେତନ କରି ପାରିଥିଲା । ଅଜାଙ୍କ ନାମରେ ଯେଉଁସବୁ ରସଛଳଛଳ ହାସ୍ୟବିଲେଳ ରଚନା “ନାଗବଚା” ବିଭାଗରେ ପ୍ରକାଶିତ ହେଉଥିଲା ତାର ଅଧିକାଂଶ ଥିଲା କାନ୍ତକବିଙ୍କ ସୃଷ୍ଟି । ସେଇ ସବୁ ସୃଷ୍ଟି ଶିଶୁଚିତ୍ତରେ ପ୍ରଭାତଆଲୁଅର ତରଙ୍ଗ ଖେଳାଇ ଦେଉଥିଲା। କାନ୍ତକବିଙ୍କ ବହୁପ୍ରସୂ ହୋଇଉଠିଥିଲା ଏଇ ସମୟରେ । Parody ଜାତୀୟ ତାଙ୍କର “ଲାଳିକା” ଓ “ଚଟକ ଚନ୍ଦ୍ରହାସ ଚମ୍ପୁ” ପାଠକ ସମକ୍ଷରେ ଥୋଇଲା ହାସ୍ୟରସର ନୂଆ ଆସ୍ଵାଦ, ନୂଆ ଐଶ୍ଵର୍ଯ୍ୟ ଓ ନୂଆ ସମ୍ଭାବନା । ଓଡିଆ ସାହିତ୍ୟର ଇତିହାସରେ ହାସ୍ୟରସର ପରମ୍ପରା ବେଶ୍ ପୁରାତନ । “ପଞ୍ଚାମୃତ” ଥିଲା ରାଜନୈତିକ କ୍ଷେତ୍ରରେ ଏକ ଅପରୂପ ବ୍ୟଙ୍ଗନାଟିକା । “ନବରାମାୟଣ” ମଧ୍ୟ ସେଇଶ୍ରେଣୀର ଅନ୍ତର୍ଗତ । ଡଗରରେ ଏହା ଧାରାବାହିକ ଭାବରେ ପ୍ରକାଶିତ ହୋଇ ସେ ସମୟର ରାଜନୀତିର ନାନା ସ୍ଖଳନ ଓ ଦୂରଭିସନ୍ଧିକୁ ପଦାରେ ପକେଇଦେଇଥିଲା । ଦୁଃଖକୁ ଭୁଲିବାପାଇଁ ହାସ୍ୟ, ଅନ୍ୟକୁ ହାସ୍ୟଦ୍ଵାରା ଭୁଲାଇ ନିଜ ଦୁଃଖରେ ନିଜେ ବୁଡ଼ି ରହିବାପାଇଁ ଏହା ଏକ ଚେଷ୍ଟା । ତେଣୁ ଯେଉଁ ସମୟରେ କାନ୍ତକବି “ଚଟକ ଚନ୍ଦ୍ରହାସ ଚମ୍ପୁ” ରଚନା କରିଛନ୍ତି ସେହି ସମୟରେ ମଧ୍ୟ “ଜୀବନସଙ୍ଗୀତ”ର କେତେକ ସଙ୍ଗୀତ ରଚିତହୋଇଛି ।
କାନ୍ତକବି ବାଲ୍ୟରୁହିଁ ଥିଲେ ହାସ୍ୟରସିକ - ହାସ୍ୟମୋଦୀ, ହସିବାର ଓ ହସାଇବାର ଅପୂର୍ବ ପ୍ରତିଭା ନେଇ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଟିକି ଟିକି କଥାରେ ବି ହାସ୍ୟର ଉସ୍ଚ ସୃଜିତ ହେଉଥିଲା, ଏବଂ ପ୍ରଧାନତଃ ସେ ହାସ୍ୟ ଥିଲା ସୁସ୍ଥ, ନିର୍ମଳ ଓ ସତେଜ । କାନ୍ତକବି ସ୍ଵୀକାର କରିଛନ୍ତି ଯେ ଫକୀରମୋହନଙ୍କ ଆଶୀର୍ବାଦ ଦ୍ଵିଧାହୀନ ଓ ଅକୁଣ୍ଠିତ ଧାରାରେ ତାଙ୍କ ଉପରେ ବର୍ଷିତ ହୋଇଥିଲା । ଫକୀରମୋହନ ନିଜେ ଥିଲେ ହାସ୍ୟରସ ସୃଷ୍ଟିର ସୁନିପୁଣ ବିନ୍ଧାଣି । କଥାକୁ ସାମାନ୍ୟ ବଦଳାଇ ବା ବିକୃତି କରି ପ୍ରାଚୀନ ଗମ୍ଭୀର ରଚନାକୁ ଲଘୁ ଆମୋଦର ରସାଳ ପୁଟ ଦେଇ ଗମ୍ଭୀର ପରିସ୍ଥିତିର ଆବରଣ ଭିତରେ ଲଘୁ ଆମୋଦର ହାସ୍ୟ ସାବଲୀଳ ନିର୍ଯ୍ୟାସ ପୁରାଇ ହାସ୍ୟର ଅବାରିତ ଉଚ୍ଛଳ ତରଙ୍ଗ ସୃଷ୍ଟି କରୁଥିଲେ ସେ । ପ୍ରାଚୀନ ଶ୍ଳୋକ ବା କାବ୍ୟାଂଶର ଅର୍ଥକୁ କଦର୍ଥ ବା ବିକୃତି କରି ସେ ଉଦ୍ଧାମ ହାସ୍ୟର ଆଲୋଡନ ସୃଷ୍ଟି କରୁଥିଲେ ।
ପୂର୍ବରୁ ଥିଲା -
“କଜ୍ଜ୍ଵଳ ପୂରିତ ଲୋଚନ ଭାଲେ,
ସ୍ତଣଯୁଗ ଶୋଭିତ ମୁକୁତା ହାରେ,
ବୀଣା ପୁସ୍ତକ ରଞ୍ଜିତ ହସ୍ତେ
ଭଗବତୀ ଭାରତୀ ଦେବୀ ନମସ୍ତେ ।”
ଫକୀରମୋହନ ଲେଖିଲେ -
“କଜ୍ଜ୍ଵଳ ପୂରିତ ଲୋଚନ ଭାଲେ,
ଗୁଣ୍ଡି ମିଶା ଖିଲ ଗୁଞ୍ଜିତ ଗାଲେ,
ତୈଳ ହରିଦ୍ରା ଲେପିତ ଦେହେ
କୁକ୍କୁରୀବ ଶୀଘ୍ରଂ ଧାବତ ଗେହେ ।”
ଠିକ୍ ଏଇ ଭଙ୍ଗୀରେ - ଏଇ ପ୍ରବାହରେ ଆସିଲା କାନ୍ତକବିଙ୍କର ଲାଳିକା—
“ପଥ ଛାଡିଦେ ମୁଁ ଯିବି ଓଲ ଖୋଳି, ଆରେ ବନା ମାଳି !
ମୋତେ ଚିହ୍ନି ନାହୁଁ ପରା ଦେଉ ଗାଳି
ମୁଁ ଯେ ସାନ ସାଆନ୍ତଙ୍କ ଗେଲ୍ହା ଶାଳୀ ।”
ଅଥବା ତାଙ୍କର ଆହୁରି ସାର୍ଥକ, ହାସ୍ୟରସ ସୃଷ୍ଟି କରିବାରେ ଶକ୍ତିଶାଳୀ ରଚନା– ଚଟକ ଚନ୍ଦ୍ରହାସ ଚମ୍ପୁ
“ଖେଲା ଲୋଳା ଖୋଳା ଆଖିକି ସାହସ କଲୁରେ!
ଖଣ୍ଟ ଠେଇଁ ଜାଣୁ ଜାଣୁ ତଣ୍ଟି ପତାଇଲୁ ରେ
ଖଚଡା ଜନେ ଗୁପତ ବାଟ ବତାଇଲୁ ରେ ।”
ଫକୀର ମୋହନଙ୍କ ଉପରୋକ୍ତ Parody ଜାତୀୟ ରଚନାଗୁଡିକ ସନ୍ନିବେଶିତ ହୋଇଛି କୌଣସି ଉପନ୍ୟାସ କିମ୍ବା କୌଣସି ଗଳ୍ପରେ ଏବଂ ତଦ୍ଦ୍ଵାରା ସେଇ ଉପନ୍ୟାସ କିମ୍ବା ସେଇ ଗଳ୍ପର ହାସ୍ୟରସାତ୍ମକ ପରିସ୍ଥିତି ଅଧିକ ରସାଳ ଓ ସାବଲୀଳ ହୋଇଛି, ବିଷୟବସ୍ତୁ ଓ ଚରିତ୍ର-ବୈଚିତ୍ର୍ୟ ଅଧିକ ଜୀବନ୍ତ ଓ ଚିତ୍ତାକର୍ଷକ ହୋଇଛି । କିନ୍ତୁ କାନ୍ତକବିଙ୍କ ଲାଳିକା ଓ ସେଇ ଶ୍ରେଣୀଭୁକ୍ତ ଚଟକ ଚନ୍ଦ୍ରହାସ ଚମ୍ପୁ ଅନ୍ୟ କୌଣସି ବିଷୟକୁ ଅପେକ୍ଷା ନକରି, କୌଣସି ଚରିତ୍ର ଚିତ୍ରଣକୁ ଆଶ୍ରୟ ନକରି; କୌଣସି ବର୍ଣ୍ଣନାର ଅଂଶବିଶେଷ ନ ହୋଇ ସ୍ଵାଧୀନ ଓ ସ୍ଵତସ୍ଫୂର୍ତ ଭାବରେ ଉଚ୍ଛଳ ଆମୋଦ ଦାନକରେ ।
କବିସୂର୍ଯ୍ୟଙ୍କର :-
“ଝଗଡି ମାତ୍ର ହେଲେହେଁ ଶ୍ୟାମ,
ଝିମୁଟି ହେବାକୁ ସହସ୍ର ଯାମ ।
ଝାଉଁଳିବା ନବ ତମାଳ ରମା,
ଝିଙ୍କି ଆଣି ଅଙ୍ଗେ କଲଣି ଜମା ।
ଏବଂ
“ଢାଳେତ ଢାଲିଲୁ ନାହିଁ କୃପା ସୂଧା ଝରି କି ରେ,
ତକ୍କା ବାଜୁଥାଇ ବ୍ରଜେ ଲଳିତାର ହୃଦାମ୍ବୁ ଜେ
କରୁଣା ଅଛି ବୋଲି ଯା ନେଲା କେତା ହରିକିରେ ।”
ସହିତ ଯଥାକ୍ରମେ କାନ୍ତକବିଙ୍କର : –
“ଝଗଡି ମାତ୍ର ହେଲୁରେ ଓଲୁ,
ଝୁଣ୍ଟି ଝାମା ଗୋଡ ରଗଡି ଦେଲୁ
ଝିଙ୍କା ଝିଙ୍କି କରି ନୋହିବ ଫଳ
ଝଟା ପତା ଲାଗି ହଟିବ ବଳ ।”
କାନ୍ତକବିଙ୍କ ଲାଳିକା ଶ୍ରେଣୀୟ ରଚନାରେ ଆମେ ଏଇ ଯେଉଁ ସ୍ଵଚ୍ଛ, ନିର୍ମଳ ହାସ୍ୟର ସାବଲୀଳ ପ୍ରବାହ ଅନୁଭବ କରୁ ତାଙ୍କର ‘ସୁଇ ସାଇଡ’, ‘ଶିକ୍ଷାନବିସ ପ୍ରେମିକ’, ‘ପରୀକ୍ଷା ଫଳ’, ଶୀର୍ଷକ ନାଟିକା ସମୂହରେ ଏବଂ ‘ବାହାରାତି,’ ‘ଅଜାଆଇ ବାହାଘର’, ‘ଅଜାଆଇଙ୍କ ସହର ଯାତ୍ରା’ ଶୀର୍ଷକ କବିତା ସମୂହରେ ସେଇ ହାସ୍ୟରସ ପରିବେଷଣ କରାଯାଇଛି । କାନ୍ତକବିଙ୍କ କେତୋଟି ଗଳ୍ପ ଏବଂ ତାଙ୍କର ଏକମାତ୍ର ଉପନ୍ୟାସ ‘କଣା ମାମୁଁ’ରେ ମଧ୍ୟ ହାସ୍ୟରସର ପ୍ରଭୂତ ନିଦର୍ଶନ ଦେଖିବାକୁ ମିଳେ । ହାସ୍ୟରସାତ୍ମକ ଗଳ୍ପ ମାନଙ୍କ ମଧ୍ୟରୁ କୌଣସି କୌଣସି ଗଳ୍ପରେ ଘଟନାର ଦ୍ରୁତଗତିର ତାଳେତାଳେ ହାସ୍ୟରସର ଦୀପ୍ତ କାନ୍ତି ଚହଲି ଉଠୁଛି । କେଉଁଠି ହାସ୍ୟର ମୃଦୁ ଝିଅଟିଏ, କେଉଁଠି କରି କରି ହାସ୍ୟରୁ ଆଞ୍ଜୁଳାଏ, କେଉଁଠି ପୁଣି ଠୋ ଠୋ ହାସ୍ୟର ବିପୁଳ ଉଚ୍ଛ୍ୱାସ ପାଠକଙ୍କୁ ଆମୋଦୀତ କରେ ଆତ୍ମହରା କରେ । ଏଇ ବିଷୟରେ ‘ଫୂର୍ତ୍ତିବାଜ’ ‘ଓଲୋଟା ବୁଝିଲେ ରାମ’, ‘ପହିଲି କେସ୍’, ‘ହାଇରେ କପାଳ’, ‘ପଣ୍ଡିତଙ୍କ ପ୍ରେମ’ ଏବଂ ଆହୁରି ଅନେକଗଳ୍ପ ବିଶେଷଭାବରେ ଉଲ୍ଲେଖନୀୟ ।
କାନ୍ତକବି ସାଧାରଣତଃ ଥିଲେ କ୍ଷମା-ପ୍ରବଣ । ଅଜସ୍ର ଧୈର୍ଯ୍ୟର ଅଧିକାରୀ ଥିଲେ ସେ । ବହୁତ ଆଘାତ ସେ ସହୁଥିଲେ-ସହି ପାରୁଥିଲେ । କିନ୍ତୁ ସେ ମଧ୍ୟ ଥରେ ଥରେ ପ୍ରଚଣ୍ଡ ରୂପ ଗ୍ରହଣ କରୁଥିଲା । ବିଶେଷତଃ ଜାତି ଓ ଦେଶର କଲ୍ୟାଣ-କର୍ମରେ ସ୍ଵାର୍ଥ ଯେଉଁଠି ପ୍ରତିବନ୍ଧକ ସୃଷ୍ଟି କରୁଥିଲା, ନାନା ଛଳନା, ନାନା ଶଠତା, ନାନା ଧୂର୍ତ୍ତି ଅଭିସନ୍ଧି ଯେଉଁଠି ସମାଜର ଅଗ୍ରଗତିକୁ ବିଘ୍ନିତ କରୁଥିଲା ସେଇଠି ସେ ଶାଣୀତ ବିଦ୍ରୂପର ତୀକ୍ଷଣ ଶର ହାଣି ଦେଶଦ୍ରୋହୀ କିମ୍ବା ଶଠ, ସ୍ଵାର୍ଥାନ୍ଵେଷୀକୁ ଅସ୍ତବ୍ୟସ୍ତ କରି ପକାଉଥିଲେ । ତତ୍କାଳୀନ ଓଡ଼ିଶାର କେତେକ ତଥାକଥିତ ବିଶିଷ୍ଟ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଏଇପରି ଅପକ୍ରିୟାରେ ଲିପ୍ତରହି ନାନାପ୍ରକାର କଳିକନ୍ଦଳ ଭିଆଉଥିଲେ । ଏମାନଙ୍କର ଦେଶଦ୍ରୋହୀ ମନୋଭାବ ଓ କାର୍ଯ୍ୟକଳାପର କଠୋର ସମାଲୋଚନା ସକାଶେ କାନ୍ତକବି ଲେଖନୀ ଧାରଣା କଲେ । ‘ପଞ୍ଚାମୃତ’ ଓ ‘ନବରାମାୟଣ’ ତାହାରି ପରିଣତି । ଆଶ୍ଚର୍ଯ୍ୟର କଥା ‘ପଞ୍ଚାମୃତ’ରେ କାନ୍ତକବି ଯେଉଁମାନଙ୍କୁ ସମାଲୋଚନା ତୀବ୍ର କଷାଘାତ କରିଛନ୍ତି ସେମାନଙ୍କ ଭିତରେ ତାଙ୍କର କେତେକ ଆତ୍ମୀୟ ମଧ୍ୟ ଅନ୍ତର୍ଭୂକ୍ତ । ଆତ୍ମୀୟ-ସ୍ଵଜନ ବୋଲି ସେମାନେ ଏଇ ବିଦ୍ରୂପର ତୀବ୍ର ଆମନ୍ତ୍ରଣରୁ ଅବ୍ୟାହିତ ପାଇ ନାହାନ୍ତି ।
କେବଳ ଦେଶଦ୍ରୋହୀଙ୍କୁ କବି ସମାଲୋଚନା କରି ନାହାନ୍ତି; ସେ ଯୁଗରେ ଯେଉଁମାନେ ସତ୍ୟାଗ୍ରହୀ ଥିଲେ, ଯେଉଁମାନେ ସ୍ଵାଧୀନତା ସମରରେ ଯୋଗ ଦେଇଥିଲେ ଏବଂ ଦେଶସେବା କରୁଁ କରୁଁ – ଦେଶର ସ୍ଵାଧୀନତା ପାଇଁ ଲଢାଇ କରୁ କରୁ ଭୁଲ ତ୍ରୁଟିବି କରୁଥିଲେ- ନାନା ପ୍ରକାରର ସ୍ଖଳନ ଓ ଦୁର୍ନୀତିର ବଶବର୍ତ୍ତୀ ବି ହେଉଥିଲେ, ସେମାନଙ୍କର ଚରିତ୍ର ଓ ଆଚରଣର ସଂଶୋଧନସକାଶେ ସେ ରଚନା କରିଥିଲେ ‘ଅସହଯୋଗୀର ଆତ୍ମକଥା’ ।
“ମୁଁ ତ ଖୋଜିଲିଣି ନୀପତରୁ ମୂଳେ
ମୁଁ ତ ଖୋଜିଲିଣି ଯମୁନା-କୂଳେ;
କି ଦୋଷ ତେଜିଲେ କାହିଁ ସେ ହଜିଲେ
କା’ ସଙ୍ଗେ ମଜ୍ଜିଲେ ଯାଇ ?
କହ କହରେ କୋକିଳ କେକି,
କେହି ଅଛ କି ତାହାକୁ ଦେଖି ?
ମାଧବୀ ଗହନେ ବିଜନେ ବିପିନେ
ଜୀବର ଜୀବନ ମୋର ନାହିଁ ।“
ରାଧାକୃଷ୍ଣଙ୍କ ପ୍ରେମଲୀଳାର ଅନବଦ୍ୟ ଚିତ୍ରର ଫାଙ୍କେଫାଙ୍କେ ସଙ୍ଗୀତର ଲହରୀରେ ତରଙ୍ଗାୟିତ ହୋଇଛି ନିସର୍ଗସୁଷମାର ଅଭିନବ ଆକର୍ଷଣ । ପୁଣି ଠାଏ ଠାଏ ପୁଷ୍ପିତ ହୋଇ ଉଠିଛି ଭକ୍ତ ଚିତ୍ତର ଅଗାଧ ଭଗବଦ୍ ବିଶ୍ଵାସ, ଏବଂ ଏସମସ୍ତ ସାଙ୍ଗୀତୀକ ବୈଚିତ୍ର୍ୟ ଆମେ ପାଉଁ ‘ବସନ୍ତ ବିଳାସ’, ‘ଶରଦ୍ରାସ’, ‘ବଂଶୀଶିକ୍ଷା’, ‘କାଳୀୟ ଦଳନ’, ‘ବ୍ରଜ ବର୍ଜନ’ ଇତ୍ୟାଦି ନାଟକରେ । ‘ବ୍ରଜ ବର୍ଜନ’ ନାଟକରେ ଘଟିଛି ବିରହର ପ୍ରଖର ଯନ୍ତ୍ରଣାର ତୀବ୍ରତର ରୂପାୟନ ।
କ୍ରମେ କବି ରଚନା କଲେ ‘ଗୌର ସନ୍ୟାସ’ ଓ ଅନ୍ୟ ନାଟକ ସମୂହ । ‘ଗୌର ସନ୍ୟାସ’ରେ ରହିଛି କବିଙ୍କ ଭକ୍ତି ଭାବର ନୂତନ କଲ୍ଲୋଳ ନୂତନ ବିଳାମ୍ବ । କବିଥିଲେ ପରମ ବୈଷ୍ଣବ । ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ ସମ୍ବନ୍ଧରେ ଯୌନ ରହସ୍ୟଘନ ଗଭୀର ବୈଷ୍ଣବ ତତ୍ତ୍ଵ ରହିଛି କବି ତାଙ୍କର ଗୋଟିଏ ଗୀତର ମାତ୍ର ଦୁଇଟି ଧାଡ଼ିର ସଂକ୍ଷିପ୍ତ ପରିସର ଭିତରେ ସେଇ ତତ୍ତ୍ଵର ଏକ ସୁସ୍ପଷ୍ଟ ଚିତ୍ର ଆଙ୍କିଛନ୍ତି । ସେ ସଙ୍ଗୀତଟି ପୁଣି ରହିଛି ‘ଶରଦ୍ରାଶ’ ନାଟକରେ ।
'ଶରଦ୍ରାସ'ର ଶେଷ ଭାଗରେ ସଖୀମାନେ ଯେଉଁ ସଙ୍ଗୀତ ସାହାଯ୍ୟରେ ରାଧାକୃଷ୍ଣଙ୍କ ମଧୁର ମିଳନର ଅନବଦ୍ୟ ଶୋଭା ବର୍ଣ୍ଣନା କରୁଛନ୍ତି ତାର ଶେଷ ଭାଗରେ ରହିଛି -
"ଦେଖ ଏ କି ରଙ୍ଗ
ରାଇ ଅଙ୍ଗ ସଙ୍ଗ ଲଭି ଶ୍ୟାମ ହେଲେ ଗୌରାଙ୍ଗ ।"
ଅନ୍ୟାନ୍ୟ ନାଟକରେ ମଧ୍ୟ ଘଟିଛି ସଙ୍ଗୀତ ସାହାଯ୍ୟରେ ଏଇ ଭକ୍ତି ଭାବର ଅବାଧ ପ୍ରସାର । କର୍ଣ୍ଣ ନାଟକରେ ଭକ୍ତ ଶିରୋମଣି ବିଦୁର ସଙ୍ଗାତର ଲାଳିତ୍ୟ ବିତାନରେ ମେଲି ଧରିଛନ୍ତି ବିଭୁ ପରାୟଣତାର ଅପୂର୍ବଶୋଭା । ଲକ୍ଷ୍ମୀ ଚାଣ୍ଡାଲୁଣୀ ନାଟକରେ ରହିଛି ବଳୀୟାର ଭୁଜ, ଚକାଡୋଳା ଜଗନ୍ନାଥଙ୍କ ବନ୍ଦନା ଗୀତ । ପୁଣି ଭକ୍ତିଭାବ ସାଙ୍ଗକୁ ଅନ୍ୟଭାବର ଶିହରଣ ମଧ୍ୟ ଆସି ଯାଇଛି । କେଉଁଠି ଉଚ୍ଛ୍ୱସିତ ହୋଇଛି ପୁତ୍ରବାତ୍ସଲ୍ୟର କୋମଳ ଛନ୍ଦ, କେଉଁଠି ଉକୁଟି ଉଠୁଛି ଜୀବନର ଅନିତ୍ୟତା ସମ୍ବନ୍ଧରେ ବୈରାଗ୍ୟର ଚେତାବନି।
କବିଙ୍କ ଚିତ୍ତ ନୀଳିମାରେ ଭକ୍ତିଭାବର ଓ ବୈରାଗ୍ୟର ସୂକ୍ଷ୍ମ ସୁଷମା ବିଚ୍ଛୁରିତ ହେଉ ହେଉ ଧ୍ୱନିତ ହୋଇଛି ଦେଶାତ୍ମବୋଧର ମେଘଡ଼ମ୍ବରୁ । ତାଙ୍କ କବିତା - ସରସ୍ୱତୀ ଶୁଣାଇଛନ୍ତି ଜାତୀୟ ଚେତନାର ତୁର୍ଯ୍ୟଧ୍ୱନି । କବି ପଙ୍ଗୁ ଓ ଚଳତ୍ ଶକ୍ତିହୀନ, କିନ୍ତୁ ତାଙ୍କ ପ୍ରାଣରେ ପ୍ରବାହିତ ହେଉଥାଏ ଶୌର୍ଯ୍ୟ ଓ ନିର୍ଭୀକତାର ଗିରିପ୍ରପାତ । ଉତ୍କଳ ସମ୍ମିଳନୀର ଗୋଟିଏ ଅଧିବେଶନରେ ତାଙ୍କ ରଚିତ ' ବନ୍ଦେ ଉତ୍କଳ ଜନନୀ' ବୋଲାହେବାବେଳେ ଶ୍ରୋତାମାନଙ୍କ ମନରେ ଜାତିପ୍ରେମର ଦୀପ୍ତ ଚେତନା ପ୍ରକଟିତ ହେଲା । ତାପରେ ସେ ଗୋଟିକପରେ ଗୋଟିଏ ଜାତୀୟ ସଙ୍ଗୀତ ରଚନା କରିବାକୁ ଲାଗିଲେ । ସେ କେତେବେଳେ ଜାତୀୟ ଜୀବନର ଘୋର ସଙ୍କଟ ପ୍ରତି ଏବଂ ଦେଶ ମାତୃକାଙ୍କର ଦୈନ୍ୟ କାତର ଅସହାୟ ରୂପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଗାଇଲେ -
"ଆଜି କିମ୍ପା ଏଡ଼େ କାତରା, ଦୀନହୀନ, କାଙ୍ଗାଳୀ ପରା
ନୟନରୁ ଯାଉଛି ଭାସି ଲୋତକ ଧାରା।
ରହିଛୁ ମା ମଳିନ ବେଶେ ଧୂସର ବେଶେ ପାଷାଣ ଭାରା ଶିରରେ ବହି ।"
ପୁଣି କେତେବେଳେ ଦେଶ ଜନନୀଙ୍କର ରାଜ ରାଜେଶ୍ୱରୀ ରୂପ ଓ ତାଙ୍କର ଅପୂର୍ବ କୀର୍ତ୍ତି - ଗାରିମାପ୍ରତି ଦୃଷ୍ଟି ଆକର୍ଷଣ କରିବା ସକାଶେ ଦୃପ୍ତ କଣ୍ଠରେ ଗାଇଲେ -
"ଜନନୀ ଯାହାର ରାଜ ରାଜେଶ୍ୱରୀ
ଜନନୀ ଯାହାର ଧନ୍ୟା
ଜନନୀ ଯାହାର ଲକ୍ଷ୍ମୀ ରୂପିଣୀ,
ଜନନୀ ଅନ୍ନପୂର୍ଣ୍ଣା,
କାହିଁ ତା ମୃତ୍ୟୁ ତା ଚିନ୍ତା କାହିଁ ତା ଦୁଃଖ କାହିଁ ତା ଦୈନ୍ୟ
ସେ କାହୁଁ ମରିବ କାତର ସ୍ୱରେ କରି ହା ଅନ୍ନ କରି ହା ଅନ୍ନ ।"
ଜାତୀୟକବି ବୀରକିଶୋର ଓ ଜାତୀୟକବି ବାଞ୍ଛାନିଧିଙ୍କ ଉନ୍ମାଦନାପୂର୍ଣ୍ଣ ସଙ୍ଗୀତଗୁଡ଼ିକ ସହିତ କାନ୍ତକବିଙ୍କ 'ଦେଶ ଵନ୍ଦନା ' ଓ ' ଜୀତୀୟ ଜାଗରଣ ଭାବପୂର୍ଣ୍ଣ ସଙ୍ଗୀତ ସମୂହ ଦେଶବାସୀଙ୍କ ପ୍ରାଣରେ ଖେଳାଇଲା ଉଦବୋଧନର ତରଙ୍ଗ । ସେମାନଙ୍କୁ ଶୁଣାଇଲା ମୁକ୍ତି ସମରର ତୁର୍ଯ୍ୟଧ୍ୱନି। ଦେଶର ଦଳିତ, ଦୈନ୍ୟ ପୀଡ଼ିତ କୃଷକ ଏବଂ କ୍ଷୁଧା ଜର୍ଜରିତ ସର୍ବହରାଙ୍କୁ ଆହ୍ୱାନ ଦେଇ କାନ୍ତକବି ଗାଇଲେ -
"ଦାନାର ଯୋଗାଡ଼ କରରେ ଚାଷୀ କନାର ଯୋଗାଡ଼ କର,
ପର ଗୋଲାମି ଛାଡ଼ି ଚାଷୀ ଲଙ୍ଗଳ ମୁଠି ଧର।"
"ଭାଇମାନେ ହୋ ଏବେ ମନରେ ହେଉ
ତୁମ ଖିରୀ ପିଠା ପର ଖାଉଅଛି, ତୁମେ ତ ପିଉଛ ଅଲଣା ପେଜ ।"
କିନ୍ତୁ କବିଙ୍କ 'ଜୀବନ ସଙ୍ଗୀତ' ଏକ ସ୍ୱତନ୍ତ୍ର ସୃଷ୍ଟି । ଏହା ଏକ ଅସାଧାରଣ ସାହିତ୍ୟିକ ଅବଦାନ । ସମଗ୍ର ଓଡ଼ିଆ ସାହିତ୍ୟର ସୁଦୀର୍ଘ ଇତିହାସରେ ଏ ସୃଷ୍ଟିର ପଟାନ୍ତର ନାହିଁ । ଏ ସଙ୍ଗୀତ ସମୂହ କେବଳ ସାହିତ୍ୟିକ ସୃଷ୍ଟି ନୁହେଁ , କେବଳ ସ୍ୱର ଲହରୀର ମଧୁର ମେଦୁର ମୂର୍ଚ୍ଛନା ନୁହେଁ - କେବଳ ଶବ୍ଦ ଲାଳିତ୍ୟର ଚନ୍ଦ୍ରିକା ନିଷେକ ନୁହେଁ। ଏହା ଆତ୍ମାର ଅଭିସାର - ପୁଣ୍ୟ ପଥରେ ଅଶ୍ରୁର ନିଃଶଙ୍କ ଅଭିଯାନ - ଆଲୋକର ଉତ୍ସ ଆବିଷ୍କାର ସକାଶେ ଘନଘୋର ରାତ୍ରିର ନିଃସଙ୍ଗ ତପସ୍ୟା ।
'ଜୀବନ ସଙ୍ଗୀତ' ସବୁ ସାମ୍ପ୍ରଦାୟିକତାର ଉର୍ଦ୍ଧ୍ୱରେ, ସବୁ ଗୋଷ୍ଠୀଗତ ଭାବଠୁଁ ମୁକ୍ତ । କବି ଥିଲେ ପରମ ବୈଷ୍ଣବ - ରାଧାକୃଷ୍ଣ ଥିଲେ ତାଙ୍କର ପରମ ଉପାସ୍ୟ ଦେବତା । କିନ୍ତୁ 'ଜୀବନ ସଙ୍ଗୀତ' ର ଦେବତା କୌଣସି ଗୋଷ୍ଠୀର ଦେବତା ନୁହନ୍ତି । ସେ ପରିପୂର୍ଣ୍ଣ ଭାଗବତ ସତ୍ତାର ଅନନ୍ତ, ଅରୂପ ପ୍ରକାଶ। ତାଙ୍କ ସମ୍ମୁଖରେ ସ୍ୱୟଂ କବି ସ୍ୱଚ୍ଛ ଉଲଙ୍ଗ ଆତ୍ମା, ଏବଂ ପ୍ରତ୍ୟେକଟି ସଙ୍ଗୀତ ସେଇ ଉଲଙ୍ଗ ଆତ୍ମାର ଚରମ ଆତ୍ମନିବେଦନ। କେହି କେହି ସମାଲୋଚକଙ୍କଠୁଁ 'ଜୀବନ ସଙ୍ଗୀତ' ସମ୍ବନ୍ଧରେ ଏକ ଭ୍ରାନ୍ତ ଉକ୍ତି ଶୁଣିବାକୁ ମିଳେ । ସେମାନେ କହନ୍ତି ଯେ 'ଜୀବନ ସଙ୍ଗୀତ' ଉପରେ ରହିଛି 'ଗୀତାଞ୍ଜଳି' ର ପ୍ରଚ୍ଛନ୍ନ ପ୍ରଭାବ । ଏହା ଆଦୌ ଠିକ୍ ନୁହେଁ । 'ଗୀତାଞ୍ଜଳି' ରେ ପ୍ରଧାନତଃ ରହିଛି ଆଶା ଓ ଆନନ୍ଦର ଗଭୀର ମନ୍ଦ୍ର । 'ଜୀବନ ସଙ୍ଗୀତ' ରେ ଆମେ ଦେଖୁଁ ଦୁଃଖର ଅନ୍ତରରୁ ଉଦ୍ଗତ ନିର୍ମଳ ଅଶ୍ରୁର ଶାଶ୍ୱତ କମନୀୟତା ।
ଶିଶୁ ସାହିତ୍ୟ ସ୍ରଷ୍ଟା - କାନ୍ତକବି:
ଆମେ କାନ୍ତକବିଙ୍କୁ ଜାଣୁ ଜୀବନ ସଙ୍ଗୀତର ଅମର କବି ରୂପେ । ଆମେ ଜାଣୁ ତାଙ୍କୁ ଅବାରିତ ହାସ୍ୟରସର ସ୍ୱତସ୍ଫୁର୍ତ୍ତି ଉତ୍ସ ରୂପେ। ଆମେ ତାଙ୍କୁ ଜାଣୁ ଅପୂର୍ଣ୍ଣ 'କଣାମାମୁଁ' ଉପନ୍ୟାସର ସାର୍ଥକ ଶିଳ୍ପୀ ରୂପେ। ଏଇ ଉପନ୍ୟାସର ଅପୂର୍ଣ୍ଣତା କହେ ଜୀବନର ଅନେକ ଖୋଜାଲୋଡା ଅପୂର୍ଣ୍ଣ ରହିଯାଏ । ଅନେକ କାହାଣୀ ନ ସରୁଣୁ ସେଗୁଡ଼ିକର ଖିଅ ହଜିଯାଏ । ତାଙ୍କର ଏହିସବୁ ସୃଷ୍ଟି ମୁଖ୍ୟ - ତାଙ୍କ ରଚିତ ଶିଶୁ - ସାହିତ୍ୟକୁ ତୁଳନାତ୍ମକ ଭାବରେ ଗୌଣ କୁହାଯାଇପାରେ । ଅଥଚ ଏଇ ଗୌଣ ସୃଷ୍ଟି ଭିତରେ ରହିଛି ଏକ ଅସାଧାରଣ ପ୍ରତିଭାର ଚମକପ୍ରଦ ପ୍ରକାଶ । ଏଇ ଶିଶୁ - ସାହିତ୍ୟ କେବଳ ଏତକ କହେନା ଯେ କାନ୍ତକବିଙ୍କ ହୃଦୟରେ ଶିଶୁମାନଙ୍କ ପାଇଁ ଥିଲା ଅପରିମିତ ଦରଦ - ଅମାପ ସ୍ନେହ । ଏଥିରୁ ଏହା ମଧ୍ୟ ଜଣାପଡ଼େ ଯେ ଏ ଦେଶର ଶିଶୁମାନଙ୍କୁ ଗଢ଼ିବା ପାଇଁ ତାଙ୍କ ପ୍ରାଣରେ ଥିଲା କେତେ ସ୍ୱପ୍ନ, କେତେ ପ୍ରେରଣା ।
କାନ୍ତକବି - ରଚିତ 'ପିଲାଙ୍କ କଥା' ପୁସ୍ତକରେ ରହିଛି ଯେଉଁ କେତୋଟି ପୌରାଣିକ କାହାଣୀ - ସେଗୁଡ଼ିକ ବିଶ୍ଳେଷଣ କଲେ ଶିଶୁ ସାହିତ୍ୟ ସ୍ରଷ୍ଟା ରୂପେ ତାଙ୍କର ଅସାଧାରଣ ଦକ୍ଷତାର ପରିଚୟ ମିଳେ। ଏମିତି ଦଶଜଣ ପୌରାଣିକ ବାଳକଙ୍କ କଥା ଉପଥାପିତ ହୋଇଛି କାନ୍ତକବି ପ୍ରଣୀତ "ପିଲାଙ୍କ କଥା" ପୁସ୍ତକରେ । ପ୍ରତ୍ୟେକଟି କଥାରେ ଜଣେ ଜଣେ ବାଳକର ଆଦର୍ଶ ଜୀବନ କଥା ବର୍ଣ୍ଣନା କରାହୋଇଛି ଅତି ସରଳ ଓ ଅନୁପମ ଭଙ୍ଗୀରେ। "ପିଲାଙ୍କ କଥା"ରେ ଯେପରି ଅଛି ଶିଶୁ ପ୍ରାଣରେ ଆଦର୍ଶ ପ୍ରୀତି ସୃଷ୍ଟି କରିବାର ଉଦ୍ୟମ - 'ଚିଡ଼ିଆ ଖାନା' ଓ 'ପାଠାମାଳା' ର କବିତା ଗୁଚ୍ଛରେ ସେଇପରି ରହିଛି ଶିଶୁର ଜ୍ଞାନର ପରିସର ବଢ଼ାଇବାର ଚେଷ୍ଟା ।
କାନ୍ତକବି ରଚିତ 'ଚିଡ଼ିଆଖାନା' ର ପଶୁପକ୍ଷୀ ସମ୍ବନ୍ଧୀୟ କ୍ଷୁଦ୍ର କବିତା ଗୁଡ଼ିକ ଯେପରି ଆମୋଦପ୍ରଦ ସେଇପରି କୌତୁହଳୋ ଦ୍ଦୀପକ । ଏ କବିତାଗୁଡ଼ିକ ପଢ଼ିଲାବେଳେ ଶିଶୁ ଭିନ୍ନ ଭିନ୍ନ ପଶୁପକ୍ଷୀ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସଙ୍ଗେ ସଙ୍ଗେ ଭାଷାର ଅନୁପମ ଠାଣି ଓ ସରସ ବର୍ଣ୍ଣନା ଶୈଳୀ ମଧ୍ୟ ଶିକ୍ଷା କରିପାରେ । 'ପାଠାମାଳା' ର ପଦ୍ୟାଂଶରୁ ଅଧିକାଂଶ କବିତା ନୈସର୍ଗିକ ସୁଷମା ଓ ନୈସର୍ଗିକ ବୈଚିତ୍ର୍ୟ ସମ୍ବନ୍ଧରେ ରଚିତ । ଶିଶୁ ଚିତ୍ତରେ ପ୍ରାକୃତିକ ସୁଷମା ଶିହରଣ ଜଗାଇ ତାକୁ ସୌନ୍ଦର୍ଯ୍ୟ ପ୍ରେମିକ କରି ଗଢ଼ିବା ହେଉଛି ଶିକ୍ଷାଦାନର ଏକ ବିଶିଷ୍ଟ ଅଙ୍ଗ । 'ଚିଡ଼ିଆଖାନା' ର କ୍ଷୁଦ୍ର କବିତାସମୂହ ପ୍ରତ୍ୟେକ୍ଷ ଭାବରେ ଶିଶୁର ଜ୍ଞାନର ପରିସର ବର୍ଦ୍ଧିତ କରେ । 'ପାଠଶାଳା' ର ନୈସର୍ଗିକ ସୁଷମା ସମ୍ବନ୍ଧୀୟ ମନୋଜ୍ଞ କବିତାଗୁଡ଼ିକ ପ୍ରତ୍ୟେକ୍ଷ ଭାବରେ ଏ ସମସ୍ତ କବିତା ପାରିପାର୍ଶ୍ୱିକ ପରିସ୍ଥିତି ସହିତ ଶିଶୁର ପରିଚୟ ସ୍ଥାପନ କରେ ।
'କୁମାରୀ ଧର୍ମ ସଙ୍ଗୀତ' ଓ 'ବାଳଚର' ଗ୍ରନ୍ଥାସମୂହର କବିତାଗୁଡ଼ିକ ପ୍ରାୟ ସମାନ ଉଦ୍ଦେଶ୍ୟ ନେଇ ରଚିତ । କୁମାରୀ ମନରେ ତଥା ଶିଶୁମନରେ କର୍ତ୍ତବ୍ୟବୋଧ, ସଦାଚାର ଜ୍ଞାନ ଓ ଧର୍ମଭାବ ଜାଗ୍ରତ କରିବା ହିଁ ଏ କବିତାଗୁଡ଼ିକର ମୂଳ ଲକ୍ଷ୍ୟ । 'ଧର୍ମ ସଙ୍ଗୀତ' ଓ 'ବାଳଚର' ଗ୍ରନ୍ଥର କବିତାଗୁଡ଼ିକରେ ଏବଂ 'ସୁନାପୁଅ' କବିତାରେ ରହିଛି ସେଇ କର୍ତ୍ତବ୍ୟବୋଧ - ସେଇ ଧର୍ମଭାବ , ସେଇ ନୀତି ଉପଦେଶ - ସଦାଚାର ଓ ନୈତିକତା ସମ୍ବନ୍ଧରେ ସେଇ ଇଙ୍ଗିତ । ' ମୋ ଦେଶ ' କବିତାରେ ଯେତେବେଳେ ଶିଶୁ ପଢ଼ିବ -
' ଏଇ ମୋ ଦେଶ, ଏଇ ମୋ ଦେଶ ଏଇ ମୋ ଜନ୍ମ ଭୂଇଁ,
ସକାଳେ ଯହିଁ ଲାଲ ଗୁଲାଲ ସୂର୍ଯ୍ୟ ଉଠେ ଉଇଁ ।
କିମ୍ବା ' ତୁମ୍ଭେ ମଙ୍ଗଳମୟ ' କବିତାରେ ପଢ଼ିବ -
' ଘାସଟି ଭୂଇଁରେ ଲୋଟଇ ହୋଇ କେଡ଼େ ନିଊନ
ବଡ଼ ଦାରୁ ଦ୍ରୁମ ହେବାକୁ କେବେ ନ କରେ ମନ
ସେତେବେଳେ ତାର ମନ ନୀତିକଥା କିମ୍ବା କଠିନ ଉପଦେଶର ଗୁରୁଭାର ବହନ କରିବା ପରିବର୍ତ୍ତେ ସରଳ କାବ୍ୟ ସୁଷମାର ଲଳିତ ଶିହରଣରେ ଉତ୍ଫୁଲ୍ଲ ହୋଇ ଉଠିବ ।
ପ୍ରାବନ୍ଧିକ କାନ୍ତକବି ::
କାନ୍ତକବିରଚିତ ପ୍ରବନ୍ଧଗୁଡିକର ସଂଖ୍ୟା ବିପୁଳ ନୁହେଁ କିନ୍ତୁ ସେ ଗୁଡିକର ପ୍ରକୃତି ବିଚିତ୍ର । 'କୈଶୋରର ସ୍ୱପ୍ନ' ପ୍ରବନ୍ଧରେ କାନ୍ତକବି ଲେଖିଛନ୍ତି - 'ବାଟରେ କରଞ୍ଜ ଫୁଲ ସବୁ ଗଛତଳେ ବିଛଣା ହେଲାପରି ପଡ଼ିଥାଏ । ଆଜି ସୁଦ୍ଧା ସେ କଥା ଭାବିଲା କ୍ଷଣି ସେ କାଳର ଶୋଭା ଆଖି ଆଗରେ ଦିଶି ଯାଉଛି - ସେ ସୁଗନ୍ଧ ନାକରେ ବାଜି ଯାଉଛି । କୃଷ୍ଣଚୂଡ଼ା ଫୁଲ ସେଇ ସମୟରେ ଫୁଟି ଲାଲ ଗୁଲାଲ୍ ହୋଇଯାଏ ।' ଏଇ ପ୍ରବନ୍ଧ ଯୋଡ଼ିକରେ ପ୍ରକୃତି ପ୍ରତି ଯେତିକି ଦରଦ ଫୁଟି ଉଠିଛି, ଭିନ୍ନ ଭିନ୍ନ ବ୍ୟକ୍ତି ଓ ଭିନ୍ନ ଭିନ୍ନ ଘଟଣା ସମ୍ବନ୍ଧରେ ମଧ୍ୟ ସେତିକି ଦରଦ ଓ ସେତିକି ଆକର୍ଷଣ ପ୍ରକାଶିତ ହୋଇଛି । ସବୁଥିରେ ଯେପରିକି ଇନ୍ଦ୍ରଧନୁର ଛିଟା । ସବୁଥିରେ ଯେପରିକି ଇନ୍ଦ୍ରଜାଲର କାରସାଦି । 'ଯୌବନ ପଥେ' ପ୍ରବନ୍ଧରେ ସେ ପଚାରିଛନ୍ତି ଏକ କରୁଣ, କାତର ପ୍ରଶ୍ନ। 'ମୁଁ ଆଜି ଜୀବନ - ସଂଗ୍ରାମରେ ଆହତ ହୋଇଛି ବୋଲି, ଜୀର୍ଣ୍ଣ ବକ୍ଷ, ଶୀର୍ଣ୍ଣ ବାହୁ , ଜୀର୍ଣ୍ଣ ଜାନୁ ହୋଇ ଛିନ୍ନ ପକ୍ଷ ବିହଙ୍ଗମ ପରି ଭୂପତିତ ହୋଇଛି ବୋଲି ତୁମେ ମୋତେ ପରିହାସ କରୁଛ ?’
'ନିଭୃତ ନିଶୀଥେ' ପ୍ରବନ୍ଧରେ ସେ ଲେଖିଛନ୍ତି - 'ଆଉ ପାରିବି ନାହିଁ । ବଡ଼ କ୍ଳାନ୍ତ ହେଲିଣି । ଉଦ୍ୟମ , ଉତ୍ସାହ ଭାଙ୍ଗି ପଡ଼ିଲାଣି । ଆଶା - କୁସୁମ ଅକାଳରେ ମଉଳି ଗଲାଣି । ତ୍ରାହି ତ୍ରାହି । ଅନେକ ହେଲାଣି ପ୍ରଭୁ, ଏବେ କ୍ଷାନ୍ତ ହୁଅ।' 'ରୋଗ ଶଯ୍ୟା' ପ୍ରବନ୍ଧରେ ଲେଖିଛନ୍ତି ସେ - 'ପଛକୁ ଚାହିଁ ଦେଖିଲି - ଜୀବନଟା ଗୋଟାଏ ରଶିକୃତ ଭ୍ରାନ୍ତି, ଗୋଟାଏ ଜଡୀଭୂତ କୁହେଲିକା, ଗୋଟାଏ ସ୍ତୁପାକାର ବ୍ୟର୍ଥତା ।' 'ଜୀବନ୍ତ ମରଣ' ପ୍ରବନ୍ଧରେ ସେଇ କ୍ଷୋଭ - ସେଇ ଖେଦ - ସେଇ ହାହାକାର। କାନ୍ତକବିଙ୍କ ଜୀବନରେ ଗୋଟିଏ ବିଶେଷ ଆକର୍ଷଣ ଥିଲା । ତାହା ହେଉଛି ନଦୀର ଆକର୍ଷଣ - ବୈତରଣୀ ଓ ସାଳନ୍ଦୀର ଆକର୍ଷଣ । 'ଶୈଶବ ସ୍ମୃତି' ଓ 'ବାଲ୍ୟ ସ୍ମୃତି' ପ୍ରବନ୍ଧରେ ରହିଛି ବୈତରଣୀ ସହିତ ତାଙ୍କର ରହସ୍ୟଘନ, ରୋମାଞ୍ଚପୁର୍ଣ୍ଣ ସମ୍ପର୍କର କଥା । ସାଳନ୍ଦୀ ସମ୍ପର୍କୀୟ ତିନୋଟି ପ୍ରବନ୍ଧରେ ରହିଛି ସେଇ ନଦୀର ଭିନ୍ନ ଭିନ୍ନ ଋତୁ କାଳୀନ ଚିତ୍ର।
କାନ୍ତକବିଙ୍କର ବିଶୟପ୍ରଧାନ ଆଉ କେତୋଟି ପ୍ରବନ୍ଧ 'ସାହିତ୍ୟ ସୁଧାକର' ପାଠ୍ୟପୁସ୍ତକ ଅନ୍ତର୍ଭୁକ୍ତ ମ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀମାନଙ୍କଲାଗି ବିଶେଷ ଭାବରେ ରଚିତ ହେଲେ ମଧ୍ୟ ଏ ପ୍ରବନ୍ଧ ଗୁଡିକରେ ସାହିତ୍ୟର ଉନ୍ନତ ମାନ ଦେଖିବାକୁ ମିଳେ । 'ସୂର୍ଯ୍ୟ ମନ୍ଦିର' ପ୍ରବନ୍ଧର ଭୂମିକାରେ ଲେଖକ ଲେଖିଛନ୍ତି - 'ଅଜ୍ଞାନ ତମିସାଚ୍ଛନ୍ନ ଆଦିମ ମାନବ ଦିନେ ଅକସ୍ମାତ୍ ପୂର୍ବ ଗଗନକୁ ଚକିତ ନୟନରେ ଚାହିଁ ହେଇ ବିମୁଗ୍ଧ ହୋଇଗଲା । କି ସୁନ୍ଦର, ପୁଣି କି ମହାନ୍ ! ସାରା ଅନ୍ତରୀକ୍ଷ ତରଳ ହେମ - ଜ୍ୟୋତିରେ ଉଦ୍ଭାସିତ କରି ଏକ ବିରାଟ ବ୍ୟାପାର ! ଜୀବନ୍ତ, ରକ୍ତମୟ ବିଶାଳ ପିଣ୍ଡ କିଏ ? ସେଇ ଚମତ୍କାରିତାରେ ଅନ୍ତରତାର ହୋଇଗଲା ସ୍ତମ୍ଭିତ । 'ଅଶ୍ରୁ' ଶୀର୍ଷକ 'ସାହିତ୍ୟ ସୁଧାକର' ପୁସ୍ତକର ଅନ୍ୟତମ ପ୍ରବନ୍ଧ ଏକ ଅପୂର୍ବ ଓ ଅଭିନବ ସୃଷ୍ଟି ।
କାନ୍ତକବିଙ୍କ କଥାସାହିତ୍ୟ ::
ଦୂର ରାଇଜରୁ ଆସିଛ ବୀର, ସାହାସୀ ଚୌହାନ ଯୁବକ । ବୁକୁରେ ତାର ସାହାସ ବାହୁରେ ତାର ବିକ୍ରମ। ଅଗନା ଅଗନି ବନସ୍ତ ଭିତରେ ବାସକରୁଥିବା ଏକ ଯୋଗୀଙ୍କ କନ୍ୟାହେଲା ତାର ପ୍ରଣୟୀନୀ, ସେ ଯୁବକ ଅତି ବିଚିତ୍ର ଭାବରେ କାଳୀଙ୍କ କରୁଣା ଲାଭକଲା । ଗଳ୍ପର ଉପସଂହାର ହେଲାବେଳକୁ ଦେଖାଗଲା ଯେ ସେଇ ଯୁବକ ଏକ ରାଜ୍ୟର ରାଜା, ଏବଂ ଯୋଗୀକନ୍ୟା ତାହାରି ରାଣୀ, ଏମିତିକା ସବୁ ବିସ୍ମୟକର ଘଟଣାର ରୋମାଞ୍ଚକର ଗତି ଓ ପରିଣତିକୁ କୋଳରେ ଧରି ରଚିତ ହୋଇଛି 'ଭଦ୍ରକାଳୀ', 'ଦପ୍ପାଖଣ୍ଡ', 'କ୍ଷୀରଚୋରା ଗୋପୀନାଥ' ଓ 'ନାରୀର ବୁଦ୍ଧି' ଗଳ୍ପସମୂହ । ସେ ନିଜର ଇଚ୍ଛାନୁଯାୟୀ ଘଟଣାଚିତ୍ରକୁ ଏପରି ଆବର୍ତ୍ତିତ କରିବାକୁ ସମର୍ଥ ହୋଇଛନ୍ତି ଯେ ଯେଉଁ ପରିସ୍ଥିତି ଯାଇ ପହଞ୍ଚନ୍ତା ନୈରାଶ୍ୟରେ ମରୁ ବାଲୁକାରେ କିମ୍ବା ବିପର୍ଯ୍ୟୟର ଝଡ଼ଝଞ୍ଜା ଭିତରେ ତାହାହିଁ ଅପୂର୍ବ କୌତୁହଳ ଭିତର ଦେଇ ପୁଲକରେ ଭରପୁର ହୋଇଉଠିଛି, କେତୋଟି ଉଦ୍ଭଟ ପ୍ରେମର ବିଚିତ୍ର ଗଳ୍ପରେ ଲେଖକଙ୍କର ଏଇ ଶକ୍ତି ବିଶେଷ ସାଫଲ୍ୟ ଲାଭ କରିଛି । 'ଆତ୍ମହତ୍ୟା' , 'ଉତ୍କଟପ୍ରେମ', 'ଉଲଟା ବୁଝିଲେ ରାମ' ପ୍ରଭୃତି ଗଳ୍ପରେ ଆମେ ଏଇ ପ୍ରକାର ରସ ଛଳଛଳ ପରିସ୍ଥିତି ଦେଖିବାକୁ ପାଉଁ। 'ପ୍ରେମର ମୁକୁଟ', 'ଶିକ୍ଷାନିବିସ ପ୍ରେମିକ', 'ମଡର୍ଣ୍ଣ ତାଳ ବେତଳ' ଇତ୍ୟାଦି ଅନ୍ୟ କେତୋଟି ପ୍ରେମଘଟିତ ଗଳ୍ପରେ ମଧ୍ୟ ଏଇପରି ପ୍ରବଳ ହାସ୍ୟରସ ସଞ୍ଚାରିତ କରି ଦିଆ ହୋଇଛି ।
ତେବେ ନୀତି ପ୍ରତିଷ୍ଠା ମଧ୍ୟ କାନ୍ତକବିଙ୍କର ଗଳ୍ପରଚନାର ଅନ୍ୟତମ ପ୍ରଧାନ ଉଦ୍ଧେଶ୍ୟ ଥିଲା । ତାଙ୍କର 'ଯେସାକୁ ତେସା', 'ସି - ଆଇଡି', 'ଆଗ ଇନ୍ସିଓର' ଇତ୍ୟାଦି ଗଳ୍ପଗୁଡ଼ିକ ଏ ଯୁଗର ଦୁର୍ନୀତି, ଶଠତା ଓ କ୍ଷମତାଲୋଭ ବିରୁଦ୍ଧରେ କଟୁ ସମାଲୋଚନାର ଓ ତୀବ୍ର ଭର୍ତ୍ସନାର ଗୋଟିଏ ଗୋଟିଏ ଅଙ୍କୁଶ । ଇଉରୋପର ପ୍ରାଚୀନ ବଲାଡ ଗୁଡିକର କିଛି କିଛି ଲକ୍ଷଣ ରହିଛି ଏଇ ଗଳ୍ପସମୂହରେ । 'ଶେଷରକ୍ଷା', 'ଇଦରଚାନ୍ଦ', 'ଅଧିକାର', 'କଦମ କଦମ ବଢ଼ାଏ ଯା' ଇତ୍ୟାଦି ଗଳ୍ପ ଏଇ ଶ୍ରେଣୀର ଅନ୍ତର୍ଭୁକ୍ତ ।
କାନ୍ତକବିଙ୍କ ଏକମାତ୍ର ଉପନ୍ୟାସ 'କଣାମାମୁଁ' ଏକ ଅସାଧାରଣ ସୃଷ୍ଟି । ଓଡ଼ିଆ ଉପନ୍ୟାସ ରାଜ୍ୟରେ ଏହାର ପଟାନ୍ତର ନାହିଁ । ଚିରାଚରିତ ପଦ୍ଧତିରେ ରଚିତ ଉପନ୍ୟାସଠାରୁ ଏହା ଏକାବେଳକେ ସ୍ୱତନ୍ତ୍ର । ଏଥିରେ କାହାଣୀର ସୂତ୍ର ଅତି ଶିଥିଳ । ଏଥିରେ କଥାବସ୍ତୁର କ୍ରମ କିମ୍ବା ଧାରାବାହିକତା ରକ୍ଷା କରାଯାଇ ନାହିଁ । ସଂଗଠନର ଅଭାବହି ଏହାର ବୈଶିଷ୍ଟ୍ୟ, ଲେଖକ ଯେପରି କି ଗଳ୍ପ କରିବାକୁ ଆଦୌ ବ୍ୟସ୍ତ ନୁହଁନ୍ତି । ଗଳ୍ପଟିକୁ ସାରି ଦେବାଲାଗି ଯେପରି କି ତାଙ୍କର ଆଦୌ ଆଗ୍ରହ ନାହିଁ । ଲକ୍ଷ୍ୟଠାରୁ ଗଳ୍ପ ହିଁ ତାଙ୍କ ପାଇଁ ଅଧିକ ଗୁରୁତ୍ଵପୂର୍ଣ୍ଣ, ବାଟରେ ଯାଉ ଯାଉ ଯାହା ମିଳୁଛି ତାହାହିଁ ଯଥେଷ୍ଟ । ଏଇ ଉପନ୍ୟାସରେ ଲେଖକ ଯୁବ ସଂଗଠନର ଚିତ୍ର ଦେବାକୁ ଚାହିଁଛନ୍ତି । ଲେଖକଙ୍କର ବୋଧହୁଏ ଧାରଣାଥିଲା ଯେ ଦେଶର କିମ୍ବା ପଲ୍ଲୀଅଞ୍ଚଳର ଯୁବକ ମାନଙ୍କୁ କେବଳ ସ୍ଥାନୀୟ ନେତୃତ୍ୱ ଦ୍ୱାରାହିଁ ଐକ୍ୟବଦ୍ଧ ଓ ସଂଗଠିତ କରାଯାଇ ପାରେ । ଏସବୁ ବିଷୟରେ ବାହାରର ରାଜନୀତି ଓ ବାହାରର ନେତୃତ୍ୱ ସାହାଯ୍ୟ ଲୋଡ଼ିବା ଉଚିତ୍ ନୁହେଁ। ତାହା କେବଳ କଳିକନ୍ଦଳ ଭିଆଇବ - ସ୍ୱାର୍ଥର ସଂଘାତ ଘଟାଇବ । ଲେଖକଙ୍କର ବୋଧହୁଏ ଆଉ ଗୋଟିଏ ଧାରଣା ଥିଲା ଯେ ନେତୃତ୍ୱ ଦେବା ତାହାରି ଦ୍ୱାରା ସମ୍ଭବ ଯାହାର ହୃଦୟ ବିଶାଳ । ଏଥିପାଇଁ ଶିକ୍ଷାଗତ ବ୍ୟୁତ୍ପତ୍ତି ସେପରି ଆବଶ୍ୟକ ନୁହେଁ, ଦେଶର ଶିକ୍ଷିତମାନଙ୍କ ମଧ୍ୟରୁ ଅନେକଙ୍କୁ ଅନେକ ଦୌରାତ୍ମ୍ୟରେ ଲିପ୍ତ ଥିବାର ଦେଖାଯାଏ । ଏହା ମଧ୍ୟ ନିଶ୍ଚିତ ଯେ କଣାମାମୁଁଙ୍କର ହୃଦୟ ଅତ୍ୟନ୍ତ ବିଶାଳ । ଏଇ କଣାମାମୁଁ ଏକ ଅପରୂପ ଚରିତ୍ର - ଯେପରି ଅପରୂପ ଚରିତ୍ର ହାଜି ସାହେବ । ହଗରୁ ଚଉକିଆର ଚରିତ୍ର ମଧ୍ୟ କମ କୌତୁହଳ ସୃଷ୍ଟି କରେନା। କଣାମାମୁଁର ରଚନା ଆରମ୍ଭହେଲା ୧୯୪୭ରେ । ନାନା ବାଧା ଓ ସଙ୍କଟ ଯୋଗୁଁ ସେଇ ରଚନାକାର୍ଯ୍ୟର ଧାରାବାହିକତା ବିଘ୍ନିତ ହେଲା । ଏହାକୁ ଶେଷ କରିବା ଲାଗି କାନ୍ତକବି ପୁଣି ଲେଖନୀ ଧାରଣା କଲେ ୧୯୫୧ରେ । ତଥାପି ଏହା ସରିଲା ନାହିଁ । ନ ସରି ମଧ୍ୟ ଏଇ ଉପନ୍ୟାସ ଅସରନ୍ତି ଆମୋଦ ଓ କୌତୁକର ଭଣ୍ଡାର ରୂପେ କାଳ କାଳକୁ ଅମର ହୋଇ ରହିଗଲା ।
କାନ୍ତକବିଙ୍କ କବିତା ଓ ନାଟକ ::
ଅନ୍ୟ ଯେ କୌଣସି ଦେଶସହିତ ତୁଳନା କରି କବି ଏଠାରେ ନିଜ ମାତୃଭୂମିର ଉତ୍କର୍ଷ ପ୍ରତିପାଦନ କରିଛନ୍ତି। କବିଙ୍କ ରଚିତ ' ସାହିତ୍ୟ ସୁଧାକର ' ପାଠ୍ୟ ପୁସ୍ତକର କବିତାବାଦୀ ମଧ୍ୟ ଉତ୍କଳ ପ୍ରୀତିର ପୁଣ୍ୟ କଲ୍ଲୋଳ ଲୀଳାୟିତ । 'ଓଡ଼ିଆ ପୁଅ ମୁହିଁ' ଓ 'ଗୋହିରାଟିକିରି' କବିତା ଯୋଡ଼ିକରୁ ଆମେ ଏଇ କଲ୍ଲୋଳ ଶୁଣିବାକୁ ପାଉଁ। ଗୋହିରାଟିକିରିକୁ ସମ୍ବୋଧନ କରି କବି ଲେଖିଛନ୍ତି -
" ପୂର୍ବ ଭାରତ କମ୍ପିତ ହେଲା,
ଯେଉଁ ଓଡ଼ିଆର ସିଂହନାଦେ,
ସିଂହଳ, ବଳୀ, ବ୍ରହ୍ମ, ମଳୟ
ନମିଲା ଯାହାର ବିଜୟୀ ପାଦେ,
ଦୁର୍ଦ୍ଧମନୀୟ ବିକ୍ରମେ ଯାର
ଦିଲ୍ଲୀ ତକ୍ତ ଉଠିଲା ଥରି,
ସନ୍ଧି ମାଗିଲା ବଙ୍ଗ ନବାବ
ଯାହାର ପ୍ରବଳ ପ୍ରତାପେ ଡରି,
ସେହି ମହାଜାତି ରଚିଲା ତାହାର
ଅନ୍ତିମ ଶେଯ ତୋହରି କୋଳେ,
ଗୋହିରା ଟିକିରି! ସେହି ଦିନ ତାର
ଦେଖିଛୁ ତ ତୁହି ଆପଣା ଡୋଳେ ।"
କାନ୍ତକବିଙ୍କ କବିତାଗୁଡ଼ିକ ସମ୍ବନ୍ଧରେ ଗୋଟିଏ କଥା ବିଶେଷଭାବରେ ଉଲ୍ଲେଖନୀୟ । ତାଙ୍କର ଅନ୍ୟ ସମସ୍ତ ରଚନାରେ ହାସ୍ୟରସର ବିପୁଳ ପ୍ରକାଶ ଦେଖିବାକୁ ମିଳେ । ତାଙ୍କ ସୃଷ୍ଟିର ପ୍ରତ୍ୟେକ ବିଭାବ ହାସ୍ୟରସର ଭିନ୍ନ ଭିନ୍ନ ଦିଗନ୍ତ ସ୍ପର୍ଶ କରି ପ୍ରସାରିତ ଓ ପୁଷ୍ଟ ହୋଇଛି । କିନ୍ତୁ 'କାନ୍ତ ସାହିତ୍ୟ ମାଳା' ନାମରେ ପରିଚିତ ତାଙ୍କ ଗ୍ରନ୍ଥାବଳୀରେ ଯେଉଁ ଅଂଶଟି 'କାବ୍ୟ ସାହିତ୍ୟ' ନାମରେ ପରିଚିତ ସେଥିରେ ଅନ୍ତର୍ଭୁକ୍ତ କବିତା ସମୂହରେ ହାସ୍ୟରସ ଅପେକ୍ଷାକୃତ ଗୌଣସ୍ଥାନ ଅଧିକାର କରିଛି । ଏହି କବିତାଗୁଡିକରେ ପ୍ରଧାନତଃ ଦେଖିବାକୁ ମିଳେ, ସରଳ, କୋମଳ ଆବେଗର ଲଳିତ ଶିହରଣ କିମ୍ବା ଗମ୍ଭୀର ଭାବର ଉନ୍ନତ ମହିମା ।
କାନ୍ତକବିଙ୍କ ନାଟ୍ୟ ପ୍ରତିଭା ସମ୍ବନ୍ଧରେ ଗୋଟିଏ କଥା ବିଶେଷଭାବରେ ମନେ ରଖିବା ଉଚିତ୍ । ତାଙ୍କର ନାଟ୍ୟ ପ୍ରତିଭା ଦୂର ଅତୀତର ସୀମା ଭିତରୁ ଯାତ୍ରା ଆରମ୍ଭ କରି ଆଧୁନିକ ଯୁଗର ତୋରଣ ଦେଶ ପର୍ଯ୍ୟନ୍ତ ଅଗ୍ରସର ହୋଇଛି । ତାଙ୍କ ନାଟକସମ୍ଭାର ଭିତରେ ଆମେ ଦେଖୁଁ ଲୀଳା, ରାସ , ପୌରାଣିକନାଟକ ଓ ଐତିହାସିକ ନାଟକ, ତାଙ୍କର କୌଣସି ରଚନାରେ ସାମାଜିକ ନାଟକ ରଚନାର କ୍ଷୀଣ ଚେଷ୍ଟା ଦେଖିବାକୁ ମିଳେ। ଯଥା - 'ପରୀକ୍ଷାର ଫଳ', 'ଅଫିମ ଲୀଳା' । ଏ ଯେପରିକି ଏକ ଦୁଃସାହସୀ ପଥିକର ସୁଦୀର୍ଘ ଦେଶ ପର୍ଯ୍ୟଟନ । କୌଣସି ଭୌଗଳିକସୀମା ତାର ସମ୍ମୁଖରେ ପ୍ରତିବନ୍ଧକ ହୋଇ ଠିଆ ହୋଇ ପାରୁନାହିଁ ।