ବଙ୍ଗଳାର ପ୍ରଖ୍ୟାତ ଗବେଷକ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ନେପାଳରେ ପ୍ରାଚୀନ ପୋଥି ସଂଗ୍ରହ କରିବା ସମୟରେ ଖ୍ରୀ ୧୯୦୭ ରେ ନେପାଳ ଦରବାର ପୋଥିଶାଳାରୁ ପଚାଶଟି ଗୀତିକା ଥିବା ଖଣ୍ଡିଏ ପୋଥି ପାଇଥିଲେ। ନେପାଳ ଦରବାର ପୋଥିଶାଳାରୁ ଶାସ୍ତ୍ରୀ ମହାଶୟ ଯେଉଁ ଗ୍ରନ୍ଥଗୁଡ଼ିକ ଆବିଷ୍କାର କରିଥିଲେ ସେଗୁଡିକ ହେଉଛି - (୧) ଡାକାର୍ଣ୍ଣବ (୨) ସୁଭାଷିତ ସଂଗ୍ରହ (୩) ଦୋହାକୋଷ ପଞ୍ଜିକା (୪) ଚର୍ଜାଚର୍ଯ ବିନିଶ୍ଚୟ (୫) ସରୋରୁହ ବଜ୍ରଙ୍କର ଦୋହାକୋଷ ଓ (୬) କୃଷ୍ଣାଚାର୍ଯଙ୍କର ଦୋହାକୋଷ । ୧୯୧୬ ଖ୍ରୀଷ୍ଟାବ୍ଦରେ ଶାସ୍ତ୍ରୀ ମହାଶୟ ସରହପା ଓ କାହ୍ନୂପାଙ୍କ ଦୋହାକୋଷ ଏବଂ ଡାକାର୍ଣ୍ଣବ ସହିତ ଗୀତିକାଗୁଡିକୁ ପ୍ରକାଶ କରିଥିଲେ ବଙ୍ଗୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ। ଶାସ୍ତ୍ରୀ ମହାଶୟ ପାଇଥିବା ପୋଥିର ଛଅଟି ପତ୍ର ନଷ୍ଟ ହୋଇ ଯାଇଥିବାରୁ ପରବର୍ତ୍ତୀ କାଳରେ ଡକ୍ଟର ପ୍ରବୋଧ ଚନ୍ଦ୍ର ବାଗଚି ତିବ୍ବତୀ ଅନୁବାଦରୁ ନଷ୍ଟ ପାଇଥିବା ପୋଥିର ଅଂଶ ଉଦ୍ଧାର କରିଥିଲେ ଓ ତାହାରି ଉପରେ ନିର୍ଭର କରି ଡକ୍ଟର ସୁକୁମାର ସେନ୍ ମୂଳ ଗୀତିକାର ପରିକଳ୍ପିତ ପାଠ ପ୍ରକାଶ କରିବାରେ ସମର୍ଥ ହେଲେ। ତିବ୍ବତୀ ଭାଷାରେ ଅନୁଦିତ ହୋଇଥିବା ଏହି ଗ୍ରନ୍ଥ ଗୁଡ଼ିକ ମୁଖ୍ୟତଃ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ :- (୧) ଯେଉଁଗୁଡିକ ବୁଦ୍ଧ ବଚନ ତାହା 'କେଙ୍ଗୁର' ଗ୍ରନ୍ଥମାଳା ଓ (୨) ବୌଦ୍ଧଧର୍ମ ସମ୍ବନ୍ଧୀୟ ଅନ୍ୟାନ୍ୟ ' ତେଙ୍ଗୁର ' ଗ୍ରନ୍ଥମାଳା।
ଓଡ଼ିଆ ଜାତିର ଧର୍ମ, ଇତିହାସ ତଥା ଭାଷା ବିଷୟକ ବହୁ ଆଲେଚନାରେ ମାଦଳାପାଞ୍ଜି ବିଶେଷତଃ ଓଡ଼ିଶାର ବହୁକାଳ ଧରି ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଅଧିକାର କରି ଆସିଅଛି । ଇତିହାସ ସଂକଳନରେ ମାଦଳାପାଞ୍ଜି ର ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ ଏ କଥାକୁ କେବେହେଲେ ଅସ୍ବୀକାର କରିଯାଇ ପାରିବ ନାହିଁ । ବହୁ ଓଡ଼ିଆ ତଥା ଅଣଓଡ଼ିଆ ଗବେଷକ ଓ ଅଲୋଚକ ମାଦଳାପାଞ୍ଜି ବିଷୟରେ ବହୁ ଦିଗରୁ ଆଲୋଚନା କରିଛନ୍ତି ।
ମାଦଳା ପାଞ୍ଜି ଓଡ଼ିଆ ଭାଷାର ପ୍ରାଚୀନ ଗଦ୍ୟ ରଚନା ରୂପେ ଗୃହୀତ ହୋଇଥାଏ ମାତ୍ର ସାହିତ୍ୟ ଆଲୋଚନାରେ ମାଦଳା ପାଞ୍ଜିକୁ ବିଶେଷ ରୂପେ ମୁଖ୍ୟସ୍ଥାନ ଦିଆଯାଇ ନ ଥାଏ l ସାହିତ୍ୟ ଦୃଷ୍ଟିରୁ ରୁଦ୍ର ସୁଧାନିଧି ପ୍ରାଚୀନ ଓଡ଼ିଆ ଗଦ୍ୟ ଭାବରେ ଗୃହୀତ ହୋଇଅଛି l ଏହାର ରଚନାଗତ ହିଁ ଏହାର ପ୍ରାଚୀନତାର ପ୍ରମାଣ l କେହି କେହି ଏହାକୁ ଭଞ୍ଜ ଯୁଗର ରଚନା ବୋଲି କହନ୍ତି, କାରଣ ଏହାର ଭାଷାରେ ଅଳଂକାରିତା ଭରି ରହିଛି l ଏହାର ଗଦ୍ୟ ରଚନା ର ଗୋଟିଏ ସ୍ୱାତନ୍ତ୍ର୍ୟ ଅଛି l ଏହାକୁ ଗୀତିମୟ ଗଦ୍ୟ ରୂପେ ଆଖ୍ୟାୟିତ କରାଯାଇପାରେ l ଉଚ୍ଚାରଣରେ ଏହାର ଶ୍ରୁତି ମାଧୁର୍ଯ୍ୟ ଉପଲବ୍ଧି କରିହୁଏ l ଏହାର ରଚନା ବା ଗଦ୍ୟ ଏ ବିଷୟରେ ଅନେକ ଆଲୋଚନା ହୋଇଯାଇଛି l ସେଠି ମଧ୍ୟରୁ ଅଧ୍ୟାପକ ପ୍ରଲ୍ହାଦ ପ୍ରଧାନଙ୍କର ଝଙ୍କାର ପଞ୍ଚମ ବର୍ଷ ତୃତୀୟ ସଂଖ୍ୟା ଦଶମ ବର୍ଷ ପ୍ରଥମ ସଂଖ୍ୟା ପ୍ରକାଶିତ ପ୍ରବନ୍ଧ ଗୁଡିକ ଦ୍ରଷ୍ଟବ୍ୟ l ସେ ଯାହା ହେଉ ନ କାହିଁକି ରୁଦ୍ରସୂଧାନିଧୀର ରଚନା ଯେ ଗଦ୍ୟରେ ହୋଇଛି ଏଥିରେ ଦ୍ଵିଧା କରିବାର କିଛି ନାହିଁ l ଏହାର ରଚୟିତା ନାରାୟଣାନନ୍ଦ ଅବଧୂତ ସ୍ୱାମୀ ଆରମ୍ଭରେ ନିଜର ପରିଚୟ ପ୍ରଦାନ କରିଅଛନ୍ତି l ସେ ଏକାମ୍ରବନର ଜଣେ ପ୍ରସିଦ୍ଧ ଯୋଗୀ ଥିଲେ l ସେ ବେଦ, ଶାସ୍ତ୍ର , ବ୍ୟାକରଣ , ପୁରାଣ, ଗୀତା ପ୍ରଭୃତି ବହୁବିଧ ବିଦ୍ୟାରେ ପାରଦର୍ଶିତା ଲାଭ କରିଥିଲେ ତାହାର ଏକ ତାଲିକା ଦେଇଛନ୍ତି l
ଖ୍ରୀଷ୍ଟୀୟ ୯ମ ଶତାବ୍ଦୀଠାରୁ ୧୪ଶ ଶତାବ୍ଦୀର ସମୟକୁ ଆଦି-ଯୁଗ ବା ପ୍ରାକ୍ - ସାରଳା ଯୁଗ ମଧ୍ୟ କୁହାଯାଏ । ଆଦିଯୁଗର ସାହିତ୍ୟ ମୁଖ୍ୟତଃ ତିନୋଟି ରୂପରେ ଦେଖାଯାଏ; ଯଥା – (କ) ମୌଖକ (ଖ) ଅଭିଲେଖ (ଗ)ଲିଖିତ ।
ସ୍ବର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରାଚୀନ ଗଦ୍ୟାପଦ୍ୟଦର୍ଶ ସଙ୍କଳନ କରିବା ସମୟରେ ତହିଁରେ ବତ୍ସାଦାସଙ୍କ ରଚିତ କଳସା ଚଉତିଶାକୁ ସ୍ଥାନ ଦେଇଥିଲେ। କଳସା ଚଉତିଶାର କବି ବତ୍ସାଦାସଙ୍କ ସମ୍ବନ୍ଧରେ କୌଣସି ପ୍ରକାର ପରିଚୟାତ୍ମକ ବିବରଣୀ ହସ୍ତକ୍ଷେପ ହୋଇନଥିବାରୁ କେବଳ ରଚନାଟି ଉପରେ ନିର୍ଭର କରି ତାର କାଳ ନିରୂପଣ କରିବାକୁ ଓଡ଼ିଆ ସାହିତ୍ୟର ସମାଲୋଚକଗଣ ଚେଷ୍ଟା କରିଛନ୍ତି। ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରାଚୀନ ଗଦ୍ୟାପଦ୍ୟଦର୍ଶରେ ଲେଖିଛନ୍ତି ଯେ , ପ୍ରାଚୀ ସମିତି ଦ୍ବାରା ଚତୁର୍ଦ୍ଦଶ ଶତାବ୍ଦୀରେ ରଚିତ କଳସା ଚଉତିଶାର ଆବିଷ୍କାର ସ୍ପଷ୍ଟ ଭାବରେ ପ୍ରମାଣ କରେ ଯେ ଓଡ଼ିଶାର ସାହିତ୍ୟ ସୃଷ୍ଟିର ପରିବେଶ ଅନ୍ତତଃ ଦ୍ୱାଦଶ ଶତାବ୍ଦୀ ପୁର୍ବରୁ ସୃଷ୍ଟି ହୋଇଥିଲା । ଏହି ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେ ପୁଣି କଳସା ଚଉତିଶା ରଚନାର କାଳ ନିର୍ଦ୍ଦେଶ କରିବାକୁ ଯାଇ ମତ ଦେଲେ ଯେ ସାରଳା ମହାଭାରତରେ କଳସାର ଉଲ୍ଲେଖ ରହିଛି। ଏଥିରୁ ସ୍ପଷ୍ଟ ଭାବରେ ଜଣାଯାଏ ଯେ ସାରଳା ଦାସଙ୍କ ସମୟକୁ କଳସା ଚଉତିଶା ଓଡ଼ିଶାରେ ଲୋକପ୍ରିୟ ହୋଇସାରିଛି। ଏ ପ୍ରକାର ଲୋକପ୍ରିୟତା ଲାଭ କରିବା ନିମିତ୍ତ ପ୍ରାୟ ଏକ ଶତ ବର୍ଷ ଲାଗିଥିବ। ତେଣୁ ଆମେ ବତ୍ସାଦାସଙ୍କୁ ସହଜରେ ଚତୁର୍ଦ୍ଦଶ ଶତାବ୍ଦୀରେ ଅବସ୍ଥାପିତ କରିପାରିବା।
ସାରଳା ଦାସଙ୍କ ଯୁଗ ଅର୍ଥାତ୍ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀ ବେଳକୁ ଓଡ଼ିଆ ସାହିତ୍ୟ ବେଶ୍ ସମୃଦ୍ଧ ହୋଇଥିବାର ପ୍ରମାଣ ମିଳୁଥିଲେହେଁ, ତତ୍ପୂର୍ବରୁ ଓଡ଼ିଆ ଦୂତ କାବ୍ୟଧାରର ପ୍ରବର୍ତ୍ତନ ହୋଇଥିବାର ବିଶେଷ ପ୍ରମାଣ ମିଳୁ ନାହିଁ । କେତେକ ଆଲୋଚକ ମାର୍କଣ୍ଡ ଦାସଙ୍କ କେଶବ କୋଇଲି’ର ରଚନା ସମୟ ସାରଳା ସାହିତ୍ୟର ପୂର୍ବବର୍ତ୍ତୀ ବୋଲି ମତ ଦିଅନ୍ତି । କିନ୍ତୁ ପରବର୍ତ୍ତୀ ଆଲୋଚନାରୁ ଜଣାଯାଏ ଯେ, ମାର୍କଣ୍ଡ ଦାସ ସାରଳା ଦାସଙ୍କ ଠାରୁ ପ୍ରାଚୀନ ନୁହନ୍ତି ।
Introduction of Reeti Age
ଉତ୍ତର ମଧ୍ୟ ଯୁଗ ବା ରୀତି ଯୁଗ ବା କାବ୍ୟ ଯୁଗ :(୧୬୫୦-୧୮୮୦)
ସଂସ୍କୃତ ସାହିତ୍ୟରେ ରୀତି ଶବ୍ଦ ଏକ ବିଶେଷ ଅର୍ଥରେ ବ୍ୟବହୃତ । ‘ରୀଙ୍’ ଧାତୁରେ ‘କ୍ତିନ୍’ ପ୍ରତ୍ୟୟ ଯୋଗେ ରୀତି ଶବ୍ଦ ଗଠିତ; ଯା’ର ଅର୍ଥ ପ୍ରଣାଳୀ, ପଦ୍ଧତି, ଗତି, ମାର୍ଗ ବା ପନ୍ଥା । ସଂସ୍କୃତରେ ପ୍ରଥମେ ଏହି ଶବ୍ଦର ପ୍ରୟୋଗ ୯ମ ଶତାବ୍ଦୀରେ ବାମନ ସମ୍ପ୍ରଦାୟଦ୍ୱାରା ବିଶେଷ ଅର୍ଥରେ ବ୍ୟବହୃତ ହୋଇଥିଲା । ସଂସ୍କୃତରେ ରୀତିଶାସ୍ତ୍ରକୁ ଅଳଙ୍କାର ଶାସ୍ତ୍ର ଅଥବା କାବ୍ୟଶାସ୍ତ୍ର ମଧ୍ୟ କୁହାଯାଇଥାଏ । ରୀତିର ଏହା ଏକ ବିଶେଷ ଅର୍ଥ ଓ ଏହାକୁ ଏକ ବିଶେଷ ସମ୍ପ୍ରଦାୟପାଇଁ ପ୍ରଯୁକ୍ତ କରାଯାଇଥିଲା । ରୀତି’ର ଅର୍ଥ ବିଶିଷ୍ଟ ପଦ ରଚନା । ରୀତି ସମ୍ପ୍ରଦାୟ ରଚନା ଅଥବା ବାହ୍ୟକାରକୁ ହିଁ କାବ୍ୟର ସର୍ବସ୍ଵ ଭାବରେ ଗ୍ରହଣ କରିଥିଲେ ।
ପଦାବଳୀ-
ଓଡ଼ିଆ ପଦାବଳୀ ସାହିତ୍ୟ ସବୁଠାରୁ ବିଶେଷ ରୂପେ ‘ଜନଗଣର ଚିତ୍ତ ଜୟ କରିପାରିଛି । ଆବେଗ, ଉଚ୍ଛ୍ଵାସ ଓ ସଙ୍ଗୀତର ମଧୁର ମୂର୍ଚ୍ଛନା ନେଇ ଏହାର ଆତ୍ମପ୍ରକାଶ । ପାଣ୍ଡିତ୍ୟ ଅପେକ୍ଷା ଆନ୍ତରିକତାରେ ଏହା ଜୀବନ୍ତ ଓ ରସାଣିତ । ଗଭୀରତା ଓ ପ୍ରାଣପ୍ରାଚୁର୍ଯ୍ୟରେ ପଦାବଳୀ ସାହିତ୍ୟର ମହିମାନ୍ବିତ ରୂପ ବାସ୍ତବରେ ବିସ୍ମୟକର । ପ୍ରୀତିମୟତା ଓ ସାଙ୍ଗୀତିକତାମଧ୍ୟରେ ସରଳ ପଦ ଏବଂ ନିର୍ଦ୍ଦିଷ୍ଟ ରାଗରାଗିଣୀ ବିଶିଷ୍ଟ କ୍ଷୁଦ୍ର ରଚନାକୁ ପଦାବଳୀ କୁହାଯାଏ । ‘ପଦାବଳୀ' କହିଲେ ସାଧାରଣ ଭାବରେ ଏହା ପଦ ସମୂହକୁ ବୁଝାଏ । ଏହି ଦୃଷ୍ଟିରୁ ଦେଖିଲେ ପଦ ଯୋଡ଼ି ଯେଉଁ କବିତା ଲେଖାଯାଇଛି, ସେସବୁ ‘ପଦାବଳୀ’ । ମାତ୍ର କେବେହେଲେ ଆମେ ‘ ଜଗନ୍ନାଥ ଦାସ ପଦାବଳୀ', 'ରାଧାନାଥ ପଦାବଳୀ’ ବା ‘ମାନସିଂହ ପଦାବଳୀ’ କହି ନ ଥାଉ । ସାଧାରଣତଃ ଆମେ ଭକ୍ତିଭାବ ସମ୍ବଳିତ ଗୀତିଧର୍ମୀ ରଚନାକୁ ‘ପଦାବଳୀ' ଭାବରେ ଗ୍ରହଣ କରିଛୁ । ସେଇ ସୂତ୍ରରେ ପଦାବଳୀ କହିଲେ ଗୋପାଳକୃଷ୍ଣ ପଦାବଳୀ, ବନମାଳୀ ପଦାବଳୀ, ଗୌରହରି ପଦାବଳୀ ପ୍ରଭୃତିକୁ ବୁଝୁ ।
ସାହିତ୍ୟର ଗତି ନଈର ସୁଅପରି । ନଈ ଯେପରି ସାମନା ଆଡ଼କୁ ମାଡ଼ିଚାଲିଲା ବେଳେ ବାଟ ମଝିରେ ବାଙ୍କ ବୁଲେ, ଗତି ବଦଳାଏ - ସାହିତ୍ୟ ମଧ୍ୟ ସେହିପରି ସବୁବେଳେ ସହଜ ସରଳ ଭାବରେ ଗତି କରେନାହିଁ । ସେ ମଧ୍ୟ ନଦୀ ପରି ମଝିମଝିରେ ବାଙ୍କବୁଲିବା ସଙ୍ଗେ ସଙ୍ଗେ ଗୋଟାଏ ବିଶେଷ ଧରଣର ବିଶିଷ୍ଟତା ରେ ମଣ୍ଡିତ ହୋଇ ପ୍ରବାହିତ ହୋଇଥାଏ । ନୂତନ ବିଶିଷ୍ଟତା ଅର୍ଜନ କରିବା ପାଇଁ, ନୂତନ ରୂପରେ ରୂପାୟିତ ହେବା ଲାଗି ନଈର ବାଙ୍କ ବୁଲିବା ଯେପରି – ସାହିତ୍ୟର ଗତି ପରିବର୍ତ୍ତନ ପ୍ରୟୋଜନର ମଧ୍ୟ ସେହିପରି ପୁରାତନ ରୂପ ବର୍ଜନ କରି ନୂତନ ବିଶିଷ୍ଟତାରେ ଓ ରୂପରେ ରୂପାୟିତ ହେବା ଲାଗି ହୋଇଥାଏ ।
ମହାକାବ୍ୟର ଲକ୍ଷଣ:
ପ୍ରାଚ୍ୟ ମତାନୁଯାୟୀ ମହାକାବ୍ୟ ୮ରୁ ୧୮ କିମ୍ବା ୨୨ ସର୍ଗ ପର୍ଯ୍ୟନ୍ତ ରଚିତ ହେବା ବିଧେୟ । ମହାକାବ୍ୟର ନାୟକ ଧୀରୋଦାତ୍ତ, କ୍ଷତ୍ରିୟ ବା ମୁନିଋଷି ହେବା ବିଧେୟ । ମହାକାବ୍ୟର ବିଷୟବସ୍ତୁ ସାଧାରଣତଃ ଇତିହାସ (ରାମାୟଣ ଓ ମହାଭାରତର )ର ବିଷୟବସ୍ତୁକୁ ଅବଲମ୍ବନ କରିଥିବା ଉଚିତ । ସେଥିରେ ଶୃଙ୍ଗାର, ବୀର, କରୁଣ ଆଦିରସମାନଙ୍କ ସହିତ କୌଣସି ଗୋଟିଏ ରସ ପ୍ରଧାନ ଭାବରେ ଅବଲମ୍ବିତ ହୋଇଥାଏ । କାବ୍ୟର ପ୍ରାରମ୍ଭରେ ନମସ୍କ୍ରିୟା, ଆଶୀର୍ବାଦାତ୍ମକ ବା ବସ୍ତୁ ନିର୍ଦ୍ଦେଶମୂଳକ ବର୍ଣ୍ଣନା ରହିବା ସହିତ କାବ୍ୟର ବିଭିନ୍ନ ଛନ୍ଦରେ ନୀର, ଅର୍ଥେବ, ଶୈଳ, ଚନ୍ଦ୍ର ଓ ସୂର୍ଯ୍ୟୋଦୟ, ବିଭିନ୍ନ ଋତୁ, ଯୁଦ୍ଧଯାତ୍ରା ଓ ମୃଗୟା ପ୍ରଭୃତିର ବର୍ଣ୍ଣନା ରହିଥାଏ ।
ଉପନ୍ୟାସର ସଂଜ୍ଞା ଓ ସ୍ଵରୂପ
‘ଉପନ୍ୟାସଃ ପ୍ରସାଦନମ୍’ - ମନୋବିନୋଦ ଉପନ୍ୟାସ ସୃଷ୍ଟିର ମୁଖ୍ୟ ଲକ୍ଷ୍ୟ; କିନ୍ତୁ କେବଳ ମନୋବିନୋଦ କିମ୍ବା ରୋମାଞ୍ଚକର କାହାଣୀ ପରିବେଷଣ ଉପନ୍ୟାସର ମୂଳ ଲକ୍ଷ୍ୟ ନୁହଁ । ଜୀବନର ପ୍ରତ୍ୟେକ ବାସ୍ତବ ରୂପକୁ ଏହା ପ୍ରକଟିତ କରିଥାଏ । ସୁତରାଂ ଏହା ଏକ ମାନବବାଦୀ କଳା । ମାନବ ଜୀବନର ସୁଖ-ଦୁଃଖ, ଦୈନ୍ୟଯନ୍ତ୍ରଣା, ସମାଜର ବାସ୍ତବ ପ୍ରତିଛବି ତଥା ଲୋକ ଚରିତ୍ରର ବାସ୍ତବ ପରିପ୍ରକାଶ ଉପନ୍ୟାସରେ ପ୍ରତିଫଳିତ ହୋଇଥାଏ । ଇଂରାଜୀ ସମାଲୋଚକ Walter Allen ତାଙ୍କର 'English Novel' ରେ ଏ ସଂପର୍କରେ ତେଣୁ ଲେଖୁଛନ୍ତି- "We find there a close imitation of man and manners, we see the very web and texture of society, it's reality exists and we meet it when we come into the world.” ଏ ପରିପ୍ରେକ୍ଷୀରେ ଉପନ୍ୟାସର ସଂଜ୍ଞା ନିରୂପଣ କରିବାକୁ ଯାଇ ହିନ୍ଦୀ ସାହିତ୍ୟର କଥାସମ୍ରାଟ ପ୍ରେମଚନ୍ଦ୍ର କହନ୍ତି- “ମେଁ ଉପନ୍ୟାସ କା ମାନବ ଚରିତ୍ର କା ଚିତ୍ର ମାତ୍ର ସମଝାତାହୁଁ । ମାନବ ଚରିତ୍ର ପର୍ ପ୍ରକାଶ ଡାଲନା ଔର ଉସ୍ କେ ରହସୋ କୋ ଖୋଲନା ହଁ ଉପନ୍ୟାସକା ମୂଳତତ୍ତ୍ବ ହେ ।”
ଉପନ୍ୟାସ କେବଳ କାହାଣୀ କହି ନ ଥାଏ, ମନୁଷ୍ୟ ଜୀବନର ବାସ୍ତବ କଥା ହିଁ କହିଥାଏ । ଜୀବନ ଓ ଜଗତ ଉପରେ ଆଧାରିତ ଚିତ୍ର ଉପରେ ଉପନ୍ୟାସଟିଏ ଗଢ଼ି ଉଠିଥାଏ । ସାଂପ୍ରତିକ କାଳରେ ଉପନ୍ୟାସ ମାନବ ଜୀବନର ସୁଖ-ଦୁଃଖ, ଆଶାଆକାଂକ୍ଷାର ବାର୍ତ୍ତାବହ ହୋଇପାରିଛି ।
ଆଧୁନିକ ଓଡ଼ିଆ କବିତାର ଉନ୍ମେଷ
ସାଧାରଣତଃ ଓଡ଼ିଆ ସାହିତ୍ୟରେ ଆଧୁନିକତାର ପ୍ରବର୍ତ୍ତି କର ସମ୍ମାନ କବି ରାଧାନାଥଙ୍କୁ ଦିଆଯାଇଥିଲେହେଁ ବାସ୍ତବରେ ତା’ଙ୍କ ସହିତ ମଧୁସୂଦନ ଓ ଫକୀରମୋହନ ମଧ୍ୟ ଉକ୍ତ ସମ୍ମାନର ଅଧିକାରୀ । କବି ରାଧାନାଥ ରାୟ ଆଧୁନିକ କାବ୍ୟକ୍ଷେତ୍ରରେ ନୂତନତାର ପରୀକ୍ଷା ଚଳାଇଥିବା ବେଳେ ମଧୁସୂଦନ ଗୀତିକବିତା ଓ ପ୍ରବନ୍ଧ ଏବଂ ଫକୀରମୋହନ ଉଭୟ କଥାସାହିତ୍ୟ ଓ ଗୀତିକବିତା କ୍ଷେତ୍ରରେ ବହୁ ନୂତନତାର ପରୀକ୍ଷା କରି ସଫଳତାର ଅକାରୀ ହୋଇଥିଲେ । ରାଧାନାଥ ପ୍ରଥମେ ଯେଉଁ ପ୍ରାଚୀ ଓ ପାଶ୍ଚାତ୍ୟ ଚିନ୍ତାଧାରାର ସମନ୍ବୟ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରବର୍ତ୍ତନ କଲେ, ମଧୁସୂଦନ ଏବଂ ଫକୀରମୋହନ ତାହାକୁ ଅଧିକ ଲୋକପ୍ରିୟ ଓ ପ୍ରସାରିତ କରିବାରେ ସାହାଯ୍ୟ କରିଥିଲେ ।