This is the extension of course code MASSB1
ସନ୍ଧି ତିନି ପ୍ରକାରର : ଯଥା - ସ୍ୱର ସନ୍ଧି,ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି
0501D SSB ଆଧୁନିକ କାବ୍ୟ କବିତା :ବୈକୁଣ୍ଠନାଥ ପଟ୍ଟନାୟକ
ଡକ୍ଟର ମାୟାଧର ମାନସିଂହ ତାଙ୍କ ରଚିତ 'ଓଡ଼ିଆ ସାହିତ୍ୟର ଇତିହାସ'ରେ ବୈକୁଣ୍ଠନାଥଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି --- ‘‘ତରୁଣ ବୟସରେ ବୈକୁଣ୍ଠନାଥଙ୍କ କବିତାରେ, ଏପରି ଏକ ଉଷ୍ମତା ଓ ସାଙ୍ଗୀତିକତା ଦେଖାଦେଇଥିଲା, ଯାହା ସ୍ମରଣ କରାଇଦେଉଥିଲା ଇଂରାଜୀ କବି ଶେଲୀଙ୍କୁ । କିନ୍ତୁ ଦୁଃଖର କଥା ଯେ, ସେ ଅଗ୍ନିକଣା, ସେ ସ୍ବତଃସ୍ଫୁର୍ତ୍ତ ପ୍ରକାଶ ଅତି ଶୀଘ୍ର ଉଭେଇଗଲା ଓ ରଖିଗଲା ଗଦା ଗଦା ‘ଡଗରେଲ’ ବାଜେକବିତା । ତଥାକଥ୍ତ ସାମୂହିକ ‘ସବୁଜ’ କବିତା ଭିତରେ ପୁଣି ତାଙ୍କର ରଚନା ସବୁଠାରୁ ଅସ୍ପଷ୍ଟ । ସାହିତ୍ୟରେ ଯାହା ଶ୍ରେଷ୍ଠ କବିତା ବୋଲି ଧରାଯାଇଥାଏ, ସେଥିରେ ଆମେ ଏକାଧାରରେ ବୁଦ୍ଧି ଓ ହୃଦୟାବେଗର ଏକ ରହସ୍ୟମୟ ସମନ୍ୱୟ ଦେଖୁ । ବୈକୁଣ୍ଠନାଥଙ୍କ କବିତାରେ ତାହା ଘଟିପାରିନାହିଁ । ତାଙ୍କର ତରୁଣ ବୟସର କବିତା ଗୁଡ଼ିକ ତେଣୁ ପଢ଼ିବାକୁ ବା ଶୁଣିବାକୁ ଭଲଲାଗେ; କିନ୍ତୁ ତା’ର ମେସେଜ୍ ବା ବାଣୀଟା କ’ଣ ତାହା ସହଜରେ ବୁଝାପଡ଼େନାହିଁ । ୬୫ । ବୈକୁଣ୍ଠନାଥଙ୍କ ସମ୍ପର୍କରେ ଓଡ଼ିଆ ସାହିତ୍ୟର ଜଣେ ଐତିହାସିକଙ୍କର ଏହି ମନ୍ତବ୍ୟରେ ଅତ୍ୟନ୍ତ ରୁକ୍ଷତା ପ୍ରକାଶ ପାଇଥିଲେ ମଧ୍ୟ ଅନେକ ପରିମାଣରେ ତାଙ୍କ କାବ୍ୟଜୀବନ ସମ୍ପର୍କରେ ଏହି ମନ୍ତବ୍ୟରେ କେତେକ ସୂଚନା ପ୍ରକାଶ ପାଇଛି । ବୈକୁଣ୍ଠନାଥଙ୍କ କାବ୍ୟଜୀବନର ପ୍ରାରମ୍ଭ ଓ ବିକାଶ ଅଛି; କିନ୍ତୁ ଗତିଶୀଳତା (dynamism) ନାହିଁ । ଖୁବ୍ ଶୀଘ୍ର ତାହା ପରିଣତିମୁଖୀ ହୋଇପଡ଼ିଛି । ୧୯୨୩ରୁ ଏହି କାବ୍ୟଜୀବନର ପ୍ରାରମ୍ଭ ଏବଂ ୧୯୭୩ ପର୍ଯ୍ୟନ୍ତ ପ୍ରାୟ ସୃଷ୍ଟିଶୀଳ; କିନ୍ତୁ ଏହି ଦୀର୍ଘ ପଚାଶବର୍ଷର କାବ୍ୟସାଧନାରେ ଦିଗପରିବର୍ତ୍ତନ ବା ଭାବପରିବର୍ତ୍ତନର ଚିତ୍ର ବିଶେଷ ପ୍ରକାଶ ପାଇଥିବା ପରି ମନେହୁଏନାହିଁ । ଅନ୍ୟାନ୍ୟ ସବୁଜ କବିଙ୍କ ପରି ତାଙ୍କ ଆଦ୍ୟ ଜୀବନର କାବ୍ୟକୃତିରେ ସ୍ୱାଭାବିକଭାବେ ପ୍ରେମ, ପ୍ରଣୟ ଓ ରୋମାଣ୍ଟିକ୍ ଅନୁଭୂତି ପ୍ରକଟିତ । ତାଙ୍କ କାବ୍ୟସ୍ଵରର ନୈରାଶ୍ୟ ବା ବିଷାଦବାଦିତା ପୁନଶ୍ଚ ଏହି ରୋମାଣ୍ଟିକ୍ ଅନୁଭୂତିରୁ ହିଁ ସଂଭୂତ । ବେଦନାରେ ଆନନ୍ଦ ପାଇବା ରୋମାଣ୍ଟିକ୍ ଦୃଷ୍ଟିଭଙ୍ଗୀର ପରିଚୟ; ମାତ୍ର ସବୁଜ କବିର ଦୁଃଖ ଓ ବେଦନାର ଚିତ୍ର ଭିନ୍ନମୁଖୀ । ଏମାନଙ୍କର କାବ୍ୟକବିତାରେ ବିପ୍ଳବର ସ୍ବର ନିର୍ଦ୍ଧିତ ହୋଇନାହିଁ, କିନ୍ତୁ ସ୍ୱପ୍ନଫୁଲର ମାଳ ଗୁନ୍ଥି କଳ୍ପଲୋକରେ ଆନନ୍ଦ ପ୍ରାପ୍ତି ପାଇଁ ଏମାନଙ୍କ ମନରେ ଯେଉଁ ଦୁରାଶା ଜାତହୋଇଥିଲା, ତାହାହିଁ ସ୍ଵାଭାବିକ ଭାବରେ ବୈକୁଣ୍ଠନାଥଙ୍କୁ କରିଥିଲା ବିଷାଦବାଦୀ । ୬୬ । ଜୀବନ ମନେହେଉଥିଲା ନିଃସ୍ଵ । ଏହିପରି ନିଃସଙ୍ଗତା ଓ ଏକାନ୍ତ ବେଦନା ବୋଧ ବୈକୁଣ୍ଠନାଥଙ୍କ କବିତାରେ ପ୍ରାରମ୍ଭରୁ ହିଁ ପ୍ରକାଶିତ । ୧୯୨୩ରେ ରଚିତ ତାଙ୍କ କବିତା ‘ଉଷା’ରେ ଏହି ଅନୁଚିନ୍ତା ବେଶ୍ ପ୍ରାଞ୍ଜଳ ଓ ସ୍ପଷ୍ଟ –
କବି ମାନସିଂହଙ୍କ କାବ୍ୟ କବିତାର ସଂକ୍ଷିପ୍ତ ପରିଚୟ ପରିକ୍ରମା
ହେ ଉତ୍କଳର ତରୁଣ କବିବୃନ୍ଦ, ଭାଷା ଜନନୀକୁ ପରବେଶ ପିନ୍ଧାଇ ସୁନ୍ଦରୀ କରିବାର ଇତରତା ତୁମ ମନରେ ଘୃଣା ଜାତ କରାଉନାହିଁ ?
ଆମ ମାଆର କ’ଣ ପାଟ ପତନୀ ନାହି, ମଣିମୁକ୍ତା ଅଷ୍ଟ ଅଳଙ୍କାର ନାହିଁ, ତାକୁ ଖୋଜ ଓ ତୁମର ନିଜ ରୁଚି ଅନୁସାରେ ମାଆକୁ ଭୂଷିତ କର । ଏପରୀ ବଙ୍ଗାଳୁଣୀ କରିବାରେ ମାଆର ଗୌରବ ବଢ଼ି ବଢ଼ି ବଙ୍ଗଲକ୍ଷ୍ମୀ କଟନମିଲର କପଡ଼ା ଫିଙ୍ଗିଦିଅ l ମାଣିଆବନ୍ଦୀ ଶାଢ଼ୀର ସୌନ୍ଦର୍ଯ୍ୟ ବୁଝ l ବିଦେଶୀ ଭାବ ଲୋକଙ୍କୁ ବିଦେଶୀ କରାଏ ନାହିଁ l ବିଦେଶୀ ଦେଶ ହିଁ ଲୋକଙ୍କୁ ଇତର କରିପକାଏ l ଏ ଦେଶରେ ଯେ କିଆ ପଲାଙ୍ଗଫୁଟି ଝଡି ପଡୁଛି, ସେ ଖବର ନରଖି ଏମାନେ ଚାମେଳି ଗୋଲାପ, ବେଲ ଫୁଲ, ହସ୍ନା ହେନାର ଗନ୍ଧ ଆଣି ଆମକୁ ଶୁଙ୍ଘାଇଲେ । ସାଧବ ଝିଅ ନଈରେ ଗାଧୋଇବାବେଳେ ଛିଣ୍ଡି ପଡ଼ିଥିବା ବାରହାତ ଲମ୍ବା ବାଳକୁ ସୁନା ଫରୁଆରେ ପୁରାଇ ପାଣିରେ ଭସାଇ ଦେଇ ଅନେଇ ରହିଛି । ସେ ଦୃଶ୍ୟ କବିମାନେ ଦେଖିପାରୁ ନାହାନ୍ତି , ସେମାନେ ସବୁଜ ପରି ଅସ୍ମାନ ପରୀର ନୃତ୍ୟ ଆମକୁ ଦେଖାଉଛନ୍ତି l
କବି ସଚ୍ଚିଦାନନ୍ଦ ରାଉତରାୟ (୧୯୧୩ – ୨୦୦୩) :
ଆଧୁନିକ ଓଡ଼ିଆ କବିତାର ଉତ୍ତରଣ ପର୍ବରେ ଯେଉଁ ଯଶସ୍ୱୀ ପ୍ରଭାବଶାଳୀ କାବ୍ୟସ୍ୱରୂପକୁ ଦେଖିବାକୁ ମିଳେ, ଅତି ଅବିସମ୍ବାଦିତ ଭାବେ ଓଡ଼ିଆ ସାହିତ୍ୟରେ ୧୯୩୫-୩୬ ପରେ ଆସିଥିବା ନୂତନ ଧାରାର ସେ ଜଣେ ସଚେତନ ଅନୁବ୍ରତୀ, ଏଥିରେ ଦ୍ବନ୍ଦର ଅବକାଶ ନାହିଁ । ଅଥଚ ଏ କାବ୍ୟମନନ ଏକ ମିଶ୍ରିତ ପ୍ରକ୍ରିୟାର ଯେ ଅଦ୍ଭୁତ ସମାହାର, ତାହା ଶ୍ରୀ ରାଉତରାୟଙ୍କ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ରଚିତ କାବ୍ୟ-କବିତାରୁ ସ୍ପଷ୍ଟ ପ୍ରତିଭାତ ହୁଏ । ଓଡ଼ିଆ ସାହିତ୍ୟରେ ବହୁବିଜ୍ଞାପିତ ଓ ଆଲୋଚିତ କବି ରାଉତରାୟ ଜଣେ ଅତି ଶକ୍ତିଶାଳୀ କବି, ଏକଥା କହିଲା ବେଳେ କବିଙ୍କ ଆଦ୍ୟ କାବ୍ୟସମ୍ଭାର ଏହାର ଘାଟଣିକ ଅଭିବୃଦ୍ଧି ତଥା ଚିତ୍ତପରିବର୍ତ୍ତନର ଐତିହାସିକ କ୍ରମପର୍ଯ୍ୟାୟ ପ୍ରତି ଦୃଷ୍ଟିପାତ ନିତାନ୍ତ ଆବଶ୍ୟକ ମନେହୁଏ ।
କବି ସାଂପ୍ରତିକ କାଳର ଅନ୍ୟତମ ପ୍ରଥିତଯଶା କବି ଭାବରେ ରମାକାଂତ ରଥ ସୁପରିଚିତ । ସେ ଓଡ଼ିଆ ସାହିତ୍ୟର କେବଳ ଅଗ୍ରଗଣ୍ୟ କବି ନୁହନ୍ତି, ସମକାଳୀନ ଭାରତୀୟ ସାହିତ୍ୟର ଜଣେ ବିଶିଷ୍ଟ କବି । ଏପରିକି ତାଙ୍କ କବି-କୀର୍ତ୍ତି ଭୌଗୋଳିକ ସୀମା ସରହଦ ଅତିକ୍ରମ କରି ଦେଶବିଦେଶକୁ ପ୍ରସାରିତ । ତାଙ୍କ କବିତା ସମଗ୍ର ଦେଶରେ ଆଦୃତ ଓ ତାଙ୍କର ଅପୂର୍ବ କବିତ୍ଵରେ ପାଠକଗୋଷ୍ଠୀ ବିମୋହିତ । ତାଙ୍କ କାବ୍ୟ-କବିତା ପାଠକଲେ ପାଠକ ଅନ୍ତରରେ ଏକ ନୂତନ କାବ୍ୟଚେତନା ସୃଷ୍ଟି ହୁଏ । ସମସ୍ତ ପ୍ରଥାସିଦ୍ଧ କାବ୍ୟଚେତନାକୁ ଅତିକ୍ରମ କରି ତାହାଙ୍କ କବିତା ପାଠକକୁ ଏକ ଭିନ୍ନ ଦିଗବଳୟରେ ପହଞ୍ଚାଇ ଦିଏ । ସେ ଆଧୁନିକ କାଳର ଜଣେ ଆଦରଣୀୟ କବି । ସେ ନୀରବ ଭୂମିର ସାଧକ ।
ଶ୍ରୀ ସୀତାକାନ୍ତ ମହା ପାତ୍ର (୧୯୩୭ ) :
ସାଂପ୍ରତିକ ଓଡ଼ିଆ କବିତାର ବିକାଶଧାରାରେ କବି ସୀତାକାନ୍ତ ଏକ ଶକ୍ତିଶାଳୀ କାବ୍ୟପ୍ରତିଭା ଭାବେ ସ୍ଵୀକୃତିଲାଭ କରିଛନ୍ତି । ମାତ୍ର ତିନିଦଶନ୍ଧିର କାବ୍ୟସାଧନା ମଧ୍ୟରେ ହଠାତ୍ ତାଙ୍କ କାବ୍ୟଚେତନା ର ବିକାଶ ଓ ଉତ୍ତରଣ ଯେ ଚିହ୍ନିତ ହୋଇପାରିଛି, ଏହା ହିଁ ତାଙ୍କ କାବ୍ୟ-ବ୍ୟକ୍ତିତ୍ଵର ବିପୁଳ ବୈଶିଷ୍ଟ୍ୟ । କିନ୍ତୁ କେତୋଟି ସ୍କୁଲ ଓ କଲେଜ୍ ମ୍ୟାଗାଜିନ୍କୁ ଛାଡ଼ିଦେଲେ ତତ୍କାଳୀନ ସାହିତ୍ୟ ପତ୍ରିକା ‘ପ୍ରଜ୍ଞା’ରେ ତାଙ୍କ କବିତା ପ୍ରଥମେ ଫେବୃଆରୀ ୧୯୬୧ ମସିହାରେ ହିଁ ପ୍ରକାଶ ପାଇଥିଲା ।
“ବ୍ରହ୍ମୋତ୍ରୀ” ର ଅର୍ଥ ହେଉଛି ସରସ୍ଵତୀଙ୍କର ଏକ ଅଂଶ । ଯାହାର ଦୃଷ୍ଟାନ୍ତ ତାଙ୍କ ସାହିତ୍ୟ କୃତିରେ ପରିଲକ୍ଷିତ ହୁଏ। ଆଉ ଏକ କଥା ତାଙ୍କ ପରିବାରରେ ସୃଜନଶୀଳ ସ୍ରଷ୍ଟାମାନଙ୍କର ଉପସ୍ଥିତି ତାଙ୍କ ସାରସ୍ଵତ ଜୀବନକୁ ଆହୁରି ଉର୍ଦ୍ଧ୍ବମୁଖ ହେବାକୁ ପୋଷଣ ଯୋଗାଛି । ବ୍ରହ୍ମୋତ୍ରୀଙ୍କ ବଡ଼ବାପାଙ୍କ ପୁଅ ଅନନ୍ତ ପଟ୍ଟନାୟକ, ମାମୁଁ ଝିଅ ଭଉଣୀ ବୀଣାପାଣି ମହାନ୍ତିଙ୍କ ରଚନା ତଥା ସୁଚିନ୍ତିତ ମତାମତ ତାଙ୍କ ସାରସ୍ଵତ ଜୀବନକୁ ପ୍ରେରଣାପୁଷ୍ଟ କରିଛି । ଏତଦ୍ ବ୍ୟତୀତ ବାପା ଓ ମାଆଙ୍କର ବଙ୍ଗଳା ସାହିତ୍ୟର ଚର୍ଚ୍ଚା ତାଙ୍କୁ ଆହୁରି ଉଦ୍ବୁଦ୍ଧ କରିଛି । ଏ ସଂପର୍କରେ ଜଣାଯାଇଛି ଯେ, ୧୯୯୩ ମସିହା ମେ ମାସ ଦୁଇ ତାରିଖରେ ପ୍ରକାଶିତ ସାପ୍ତାହିକ ପ୍ରଜାତନ୍ତ୍ରରେ ତାଙ୍କର ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ’ କବିତା ଲେଖିବାର ପ୍ରେରଣା ସେ ତାଙ୍କ ବୋଉଙ୍କ ଠାରୁ ପାଇଥିଲେ। ତାଙ୍କ ବୋଉ “ସାବିତ୍ରୀ” ନାମକ ଏକ କାବ୍ୟ ରଚନା କରିଥିଲେ। ମାତ୍ର ତାହା ପାଣ୍ଡୁଲିପି ଆକାରରେ ରହିଯାଇଥିଲା।”
ବିଂଶ ଶତକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଅନ୍ୟତମ ପ୍ରସିଦ୍ଧ ପ୍ରାବନ୍ଧିକ ଭାବରେ ରତ୍ନାକର ପତି ସୁପରିଚିତ । ତାଙ୍କର ମହତ୍ତର ସୃଷ୍ଟି ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବିକାଶରେ ଏକ ବୃହତ୍ତର ଦାନ । ସେ ଥିଲେ ଜ୍ଞାନୀ ତପସ୍ଵୀ ଦାର୍ଶନିକ, ସ୍ଵାଧୀନ ଚିନ୍ତକ ଓ ନୈତିକ ଭାବଧାରାର ସଂସ୍ଥାପକ । ଆତ୍ମଦର୍ଶନ ନିମନ୍ତେ ବ୍ୟାକୁଳତା, କର୍ମନିଷ୍ଠା ଓ ମାନବିକ ସହାନୁଭୂତି ତାଙ୍କ ପ୍ରବନ୍ଧର ସ୍ଵାତନ୍ତ୍ର୍ୟ ପ୍ରକଟ କରିବାରେ ସହାୟତା କରିଛି
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଆଦି ପାଦରେ ପ୍ରାବନ୍ଧିକ ପତିଙ୍କର ଆବିର୍ଭାବ ସେ ଥିଲେ ଦର୍ଶନର ଛାତ୍ର । ଛାତ୍ରାବସ୍ଥାରୁ ତାଙ୍କର ଧର୍ମ ପ୍ରତି ଅଟଳ ବିଶ୍ଵାସ ଥିଲା ଏକ ପକ୍ଷରେ ଧର୍ମ ବିଶ୍ଵାସ, ଅପରପକ୍ଷରେ ଦର୍ଶନ ତାଙ୍କୁ ଜଣେ ବିଚାରବନ୍ତ ମଣିଷ ଭାବରେ ଗଠନ କରିଥିଲା । ସଂଯତ ଆଚରଣ, ଶୁଚିନିଷ୍ଠ ଚଳଣି ଓ ମୂଲ୍ୟବୋଧ ପ୍ରତି ଶ୍ରଦ୍ଧା ତାଙ୍କ ଚରିତ୍ରର ବୈଶିଷ୍ଟ୍ୟ ଥିଲା । ତାଙ୍କ ପ୍ରବନ୍ଧରେ ତାଙ୍କ ବ୍ୟକ୍ତିତ୍ବର ଏସବୁ ବିଭବ ପ୍ରତିଫଳିତ ହୋଇଥିଲା ।
ଓଡ଼ିଆ ପ୍ରବଂଧ ସାହିତ୍ୟ ଆଦି ପାଦର ଜଣେ ମନନଧର୍ମୀ, ଚିନ୍ତାଶୀଳ, କୃତବିଦ୍ୟ ପ୍ରାବଂଧିକ ଭାବେ ବିଶ୍ଵନାଥ କରଙ୍କ ସାଧନା ଉଜ୍ଜଳ ହୋଇ ଦିଶେ । ସେ ଥିଲେ ଏକାଧାରରେ ଜଣେ ସାହିତ୍ୟ ପତ୍ରିକା ସଂପାଦକ, ଖ୍ୟାତନାମା ପ୍ରାବଂଧିକ, ମୁକ୍ତ ଶୈଳୀର ଗଦ୍ୟ ଲେଖକ, ପାଶ୍ଚାତ୍ୟ ଶିକ୍ଷାର ଦୃଢ଼ ସମର୍ଥକ, ପ୍ରସିଦ୍ଧ ସମାଜ ସଂସ୍କାରକ ଓ ଓଡ଼ିଶାରେ ବ୍ରାହ୍ମ ଧର୍ମର ଅନ୍ୟତମ ପୃଷ୍ଠପୋଷକ । ସେ ପଦ୍ୟବହୁଳ ଓଡ଼ିଆ ସାହିତ୍ୟଠାରୁ ସେକାଳରେ ନିଜକୁ ଦୂରେଇ ନେଇ ଲୋକ ପ୍ରଚଳିତ ଶିଷ୍ଟ ଭାଷାରେ ଗଦ୍ୟ ରଚନା କରି ଓଡ଼ିଆ ଗଦ୍ୟ ସାହିତ୍ୟକୁ ଦେଇଥିଲେ ନୂତନ ଦିଗ୍ଦର୍ଶକ । ବିଶେଷ କରି ଓଡ଼ିଆ ପ୍ରବଂଧ ରଚନାରେ ତାହାଙ୍କ ନିଷ୍ଠା ଥିଲା ଅସାଧାରଣ । ଶୁଦ୍ଧ ସାହିତ୍ୟ ପ୍ରତି ଶ୍ରଦ୍ଧା, ବିଶ୍ଵଜନୀନ ଦୃଷ୍ଟିଭଙ୍ଗୀ, ସଂସ୍କାର ପ୍ରୟାସ ମନୋବୃତ୍ତି, ନୂତନ ସାମାଜିକ ଚେତନା, ଉଦାରମାନବିକ ଭାବନା, ଧର୍ମର ଜନମଙ୍ଗଳ ଦିଗ ଉପରେ ଗୁରୁତ୍ବ ଓ ନାରୀ ସ୍ଵାଧୀନତା ପ୍ରତି ଆନ୍ତରିକତା ଥିଲା ତାହାଙ୍କ ପ୍ରବଂଧର ବିଶେଷ ଆକର୍ଷଣ ।
ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବରେ ପଣ୍ଡିତ ନୀଳକଣ୍ଠ ସ୍ୱନାମଧନ୍ୟ । ବିଂଶ ଶତକର ଆଦି ପାଦରୁ ଷାଠିଏ ଦଶକ ପର୍ଯ୍ୟନ୍ତ ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ଧରି ସେ ପ୍ରବନ୍ଧ ରଚନାରେ ମନୋନିବେଶ କରିଥିଲେ । ତାଙ୍କ ପ୍ରବନ୍ଧଗୁଡ଼ିକ ବୁଦ୍ଧିଦୀପ୍ତ ଓ ଏଥିରେ ଲେଖକଙ୍କ ନୂତନ ଦୃଷ୍ଟିଭଙ୍ଗୀ ପରିଲକ୍ଷିତ । ମୌଳିକ ଚିନ୍ତାଶୀଳତା, ପାଣ୍ଡିତ୍ୟ ଓ ସମାଜ ସଂସ୍କାର ତାଙ୍କ ପ୍ରବନ୍ଧଗୁଡ଼ିକୁ ମର୍ଯ୍ୟାଦାବନ୍ତ କରିଛି ।
ସୃଷ୍ଟି ସ୍ଵଳ୍ପ ହେଲେହେଁ ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଏକ ସ୍ମରଣୀୟ ପ୍ରତିଭା । ‘ବଟୁଆ’ର ଲେଖକରୂପେ ସେ ସୁପରିଚିତ । ଏହି ପ୍ରବନ୍ଧଟି କେବଳ ତାଙ୍କର ଗୌରବ ନୁହେଁ, ଓଡ଼ିଆ ପ୍ରବନ୍ଧ ସାହିତ୍ୟର ମଧ୍ୟ ଗୌରବ । ଏହି ପ୍ରବନ୍ଧରେ ‘ବଟୁଆ’କୁ କେନ୍ଦ୍ରକରି ଲେଖକ ଦେଶବାସୀଙ୍କୁ କହିବାକୁ ଚାହିଁଛନ୍ତି ଯେ ଗୋଟିଏ ଜାତି ବଡ଼ହୁଏ ତାର ନିଜସ୍ୱକୁ ସମ୍ମାନିତ କରି । ନିଜସ୍ବକୁ ଜଳାଞ୍ଜଳି ଦେବା ଆତ୍ମଘାତୀ । ବଟୁଆକୁ ସେ ‘ ଓଡ଼ିଆମି’ର ଗୋଟିଏ ଚିହ୍ନରୂପେ ଗ୍ରହଣ କରିଛନ୍ତି । ତାଙ୍କରି ଭାଷାରେ ତେଣୁ– ‘‘ପରଲାଙ୍ଗୁଡ଼ଧରା ବଡ଼ଲୋକି ବଡ଼ଲୋକି ନୁହେଁ; ସେ ଗୋଲାମର ଗୋଲାମି ମାତ୍ର । ଯଦି ପ୍ରକୃତରେ ଏ ଦେଶର, ଏ ଜାତିର, ଏ ବିଶ୍ୱ-ସଭ୍ୟତାର କିଛି କାମକରି ତୁମର ନାଆଁ ଅମର ଅକ୍ଷରରେ ଲେଖିଦେବାକୁ ଇଚ୍ଛା କର ତାହେଲେ ନିଜ ବଟୁଆଟି ଧରି ନିଜ ବାଟରେ ନିଜ ଗୋଡ଼ରେ ଚାଲ । ଏଣିକି ତେଣିକି ଚାହିଁ ଯେ ଚାଲେ ସେ ବାଟ ଜାଣେନାହିଁ, ସେ ନିଶ୍ଚେ ବାଟ ଭୁଲିବ । ଯେ ବାଟ ଜାଣେ, ଯାହାର ଲକ୍ଷ୍ୟ ଠିକ୍ ସେ ତା’ ରାସ୍ତାରେ ଚାଲିବ । ସେ ରାସ୍ତା ଅନ୍ୟକୁ ଅସୁନ୍ଦର ଦିଶିପାରେ, ଅନ୍ୟ ନାକ ଟେକିପାରେ, ରାଗିପାରେ, ଥଟ୍ଟା ପରିହାସ କରିପାରେ । କି ଯାଏ ଆସେ ସେଥିରେ ? ମୋର ବାଟ ଏ, ଏ ବାଟରେ ମୁଁ ଯିବି । ସେଥିରେ ଯେବେ ମୁଁ ଲକ୍ଷ୍ୟସ୍ଥାନରେ ନପହଞ୍ଚିପାରେ, ତାହେଲେ ମଧ୍ୟ ମୋର ଗୌରବ ' ଜାତିର ଉନ୍ନତି:’’
କବି, ଔପନ୍ୟାସିକ ଓ ଗାଳ୍ପିକରୂପେ ଓଡ଼ିଆ ସାହିତ୍ୟରେ ନିତ୍ୟାନନ୍ଦ ମହାପାତ୍ର ସୁପରିଚିତ; କିନ୍ତୁ ଏହାହିଁ ତାଙ୍କ ସ୍ରଷ୍ଟା ଜୀବନର ଇତିବୃତ୍ତ ନୁହେଁ । ଜଣେ ଶକ୍ତିଶାଳୀ ପ୍ରାବନ୍ଧିକ ରୂପେ ମଧ୍ୟ ତାଙ୍କ ସିଦ୍ଧି ଏକକ ଓ ଅନନ୍ୟସାଧାରଣ। ତାଙ୍କ ରମ୍ୟରଚନା ସାମ୍ପ୍ରତିକ ଓଡ଼ିଆସାହିତ୍ୟର ମହନୀୟ ବୈଭବ । ଗତାନୁଗତିକତାରେ ଅତୃପ୍ତ, ନୂତନ ଦିଗନ୍ତର ସନ୍ଧାନୀ ଏହି ପ୍ରତିଭାଶାଳୀ ଲେଖକ ନିଜ ଜୀବନ ପରି ସାହିତ୍ୟର ବିଭିନ୍ନ ବିଭାଗରେ ମଧ୍ୟ ନବ ନବ ପରୀକ୍ଷାରେ ଆଗ୍ରହୀ । ଏ ଆଗ୍ରହ ଓ ତଜ୍ଜନିତ ପଦକ୍ଷେପ ଅନ୍ତରର ଅନ୍ତହୀନ ପ୍ରେରଣା ସଂଜାତ । ତାଙ୍କ ‘ପତ୍ର ଓ ପ୍ରତିମା’ ଓଡ଼ିଆ ପ୍ରବନ୍ଧସାହିତ୍ୟରେ ଏକ ବିଶିଷ୍ଟ ଆକର୍ଷଣ । ଏହି ପୁସ୍ତକରେ ସନ୍ନିବିଷ୍ଟ ଲେଖାଗୁଡ଼ିକରେ ଲେଖକଙ୍କର ନାନା ଶାସ୍ତ୍ର ଅଧ୍ୟୟନଜନିତ ଜ୍ଞାନ, ଜୀବନ ବିଦ୍ୟାଳୟରେ ଲବ୍ଧ ନବ ନବ ଅନୁଭବରେ ମାର୍ଜିତ ଓ ପରୀକ୍ଷିତ ହୋଇ କଳାତ୍ମକ ପରିପାଟୀରେ ବାକ୍ମୟ ଅଭିବ୍ୟକ୍ତି ଲାଭକରିଛି ।
ଆଧୁନିକ ଭାଷାବିଜ୍ଞାନ ଅନୁଶୀଳନରେ ଯେପରି ଗୋଲୋକ ବିହାରୀ ଧଳ ଥିଲେ ଅନନ୍ୟ ସିଦ୍ଧିର ଅଧିକାରୀ, ସେହିପରି ସେ ଥିଲେ ସ୍ଵାଧୀନତା ପରବର୍ତୀ ଓଡ଼ିଆ ଗଦ୍ୟସାହିତ୍ୟର ଜଣେ କୃତବିଦ୍ୟ ଗଦ୍ୟଶିଳ୍ପୀ | ପ୍ରବନ୍ଧ, ଭ୍ରମଣ ସାହିତ୍ୟ, ଶିଶୁ ସାହିତ୍ୟ ଜୀବନୀ ଓ ଅନୁବାଦରେ ତାଙ୍କର କୃତିତ୍ଵ ବାରି ହୋଇପଡ଼େ ସାରସ୍ଵତ ସାଧନାରେ ସେ ଅତିବାହିତ କରିଥିଲେ ତାଙ୍କର ସାରା ଜୀବନ ଓଡ଼ିଆ କଥ୍ୟ ଭାଷାକୁ ସାହିତ୍ୟିକ ମର୍ଯ୍ୟାଦା ଦେବାରେ ତାହାଙ୍କ ରଚନାମାନଙ୍କର ସ୍ଵାତନ୍ତ୍ର୍ୟକୁ ଅସ୍ଵୀକାର କରାଯାଇ ନପାରେ । ସୁଗଭୀର ଜୀବନାନୁଭୂତି, ମୌଳିକ ଚିନ୍ତନ, ଆତ୍ମୀୟତାପୂର୍ଣ୍ଣ ଭାଷା ବିନ୍ୟାସ ତାଙ୍କ ଗଦ୍ୟକୁ ସରସ ଓ ରୁଚିଶୀଳ କରିଛି ଆମ ସାମାଜିକ ଜୀବନ, ସାଂସ୍କୃତିକ କ୍ରିୟାକଳାପ, ନୈତିକ ଭାବାଧାରା, ଜାତୀୟ ଆଦର୍ଶ, ଗଣତାନ୍ତ୍ରିକ ବିଚାରଧାରା ଓ ମାନବିକ ମୂଲ୍ୟବୋଧକୁ ସେ ସ୍ଵଗଦ୍ୟ ସୃଷ୍ଟିରେ ସ୍ଵଭାବ ସୁଲଭ ସରଳ ଭାଷାରେ ବ୍ୟକ୍ତ କରିବାକୁ ସଂକୋଚ ବୋଧ କରିନାହାନ୍ତି । ପୁନଶ୍ଚ ପରିବେଷଣରେ ପ୍ରାଚୁର୍ଯ୍ୟ, ବିଷୟ ବିଶ୍ଳେଷଣରେ ବୌଦ୍ଧିକତା, ସ୍ତରେ ସ୍ତରେ ବାଗ୍ବିଳାସ, ଆତ୍ମବ୍ୟଙ୍ଗ ତାଙ୍କ ଗଦ୍ୟର ବିଶେଷ ଆକର୍ଷଣ । ସର୍ବତ୍ର ଲେଖକଙ୍କ ବ୍ୟକ୍ତିତ୍ଵର ଶୁଭ୍ରସ୍ପର୍ଶ ଏଥୁରୁ ଅନୁଭବ କରିହୁଏ ।
ସାଂପ୍ରତିକ ପ୍ରବନ୍ଧ ସାହିତ୍ୟରେ ଶ୍ରୀ ଚିତ୍ତରଞ୍ଜନ ଦାସ ଏକ ବଳିଷ୍ଠ ପ୍ରତିଭା । ତାଙ୍କ ଅଧ୍ୟୟନର ପରିସର ଏତେ ବ୍ୟାପକ ଓ ଦୀର୍ଘାୟିତ ଯେ ସାଂପ୍ରତିକ ସାହିତ୍ୟରେ ସେ ଏକ ବିସ୍ମୟରେ ପରିଣତ ହୋଇଛନ୍ତି । ବିଷୟ-ବୈଚିତ୍ର୍ଯ ଦୃଷ୍ଟିରୁ ଓଡ଼ିଆ ପ୍ରବନ୍ଧସାହିତ୍ୟରେ ତାଙ୍କ କୃତିର ପଟାନ୍ତର ନାହିଁ । ସାହିତ୍ୟ, ଧର୍ମ, ବିଜ୍ଞାନ, ଜୀବନୀ, ଶିକ୍ଷା, ସଭ୍ୟତା ଓ ସଂସ୍କୃତି ପ୍ରଭୃତି ବିଭିନ୍ନ ବିଷୟ-ଆଧାରିତ ତାଙ୍କ ପ୍ରବନ୍ଧନିଚୟର ଅଧ୍ୟୟନ କାଳରେ ଏହି ବିଚକ୍ଷଣ ପ୍ରତିଭାର ମୌଳିକ ଚିନ୍ତାଧାରା ଆମ ଚିନ୍ତା ଓ ଚେତନାକୁ ବିପୁଳଭାବରେ ପ୍ରଭାବିତ କରିଥାଏ । ଗତାନୁଗତିକତାରୁ ମୁକ୍ତ ଏକ ନୂତନ ଭଙ୍ଗୀରେ (ଯାହା ଚିତ୍ତକୁ ସ୍ପର୍ଶକରେ) ସେ ବିଭିନ୍ନ ବିଷୟକୁ କେନ୍ଦ୍ରକରି ବହୁ ମୂଲ୍ୟବାନ୍ ପ୍ରବନ୍ଧ ରଚନା କରିଛନ୍ତି । ଉଭୟ ମନ୍ମୟ ଓ ତନ୍ମୟ ପ୍ରବନ୍ଧ ରଚନାରେ ତାଙ୍କର କୃତିତ୍ୱ ଅସାଧାରଣ ।
ପ୍ରାବନ୍ଧିକ ଭୁବନେଶ୍ଵର ବେହେରା
ସାମ୍ପ୍ରତିକ କାଳର ଅନ୍ୟତମ ପ୍ରସିଦ୍ଧ ପ୍ରାବନ୍ଧିକ ଭାବରେ ଭୁବନେଶ୍ଵର ବେହେରାଙ୍କର କୀର୍ତ୍ତି ସୁବିଦିତ । ମାନବିକ ମୂଲ୍ୟବୋଧ ପ୍ରତି ଅନୁରାଗ, ଭାରତୀୟ ସଂସ୍କୃତି ପ୍ରତି ଶ୍ରଦ୍ଧା, ବୈଜ୍ଞାନିକ ବିଚାରଧାରା, ଆଦର୍ଶବାଦୀ ଭାବନା, ଐତିହ୍ୟ ସଚେତନତା, ମୌଳିକ ଚିନ୍ତାଧାରା ଓ ମେଦିନୀ ଦୃଷ୍ଟି ତାହାଙ୍କ ପ୍ରବନ୍ଧରେ ପରିଲକ୍ଷିତ । ଆଧୁନିକ ମଣିଷର ଶିକ୍ଷା, ସାମାଜିକ ଜୀବନଧାରା, ମାନସିକ ଅବସ୍ଥା, ଦାର୍ଶନିକ ଚିନ୍ତନ, ଆଧ୍ୟାତ୍ମିକ ସମସ୍ୟା ଇତ୍ୟାଦି ଯାବତୀୟ ପ୍ରସଙ୍ଗକୁ ଆଧାର କରି ପ୍ରବନ୍ଧ ଲେଖିବାରେ ସେ ଜଣେ କୃତବିଦ୍ୟ ପ୍ରାବନ୍ଧିକ । ଆମର ବୈଦିକ ଭାବଧାରା, ପୌରାଣିକ ପ୍ରସଙ୍ଗ ଓ ପାରମ୍ପରିକ ଆଦର୍ଶକୁ ସେ ସାମ୍ପ୍ରତିକ ସମୟର ପୃଷ୍ଠଭୂମିରେ ଆହା ତ୍ର ବିଚାର କରିପାରନ୍ତି । ଭାରତର ପ୍ରାଚୀନ ମୂଲ୍ୟବୋଧ ସହିତ ବୈଜ୍ଞାନିକ ସତ୍ୟ ଅନେକାଂଶରେ ନିହିତ ବୋଲି ସେ କହନ୍ତି । ପାଶ୍ଚାତ୍ୟ ଚିନ୍ତାଧାରା ଅପେକ୍ଷା ପ୍ରାଚ୍ୟ ଜଗତ ପ୍ରତି ତାଙ୍କର ପ୍ରବଳ ଆକର୍ଷଣ ରହିଛି । ସାଧାରଣ ଭାଷାରେ ଯୁକ୍ତିନିଷ୍ଠ ଭାବରେ ପାଠକକୁ ବୁଝାଇ କହିବାର ସମସ୍ତ ଲକ୍ଷଣ ତାଙ୍କ ପ୍ରବନ୍ଧକୁ ଉଚ୍ଚକୋଟୀର କରିଛି ।